July 27, 2024

Satya News

odia news channel

ଟ୍ରମ୍ପ କହିଲେ ଆକ୍ରମଣ, ଆଉ ଇରାନର ଜେନେରାଲ ସୁଲେମାନୀଙ୍କୁ ମାରିଦେଲେ ଆମେରିକା ସୈନ୍ୟ

ଟ୍ରମ୍ପ କହିଲେ ଆକ୍ରମଣ,
ଆଉ ଇରାନର ଜେନେରାଲ ସୁଲେମାନୀଙ୍କୁ ମାରିଦେଲେ ଆମେରିକା ସୈନ୍ୟ

ଟ୍ରମ୍ପଙ୍କ ନିର୍ଦେଶ ପରେ ବାଗଦାଦ ଏୟାରପୋର୍ଟରେ ଏୟାରଷ୍ଟ୍ରାଇକ କରି ଇରାନର ରିଭୋଲୁଶନାରି ଗାର୍ଡସ କମାଣ୍ଡର କାସିମ ସୁଲେମାନୀଙ୍କୁ ହତ୍ୟା କଲା ଆମେରିକା । ଜାଣନ୍ତୁ ସୁଲେମାନୀଙ୍କ ଇଣ୍ଡିଆ କନେକଶନ ଏବଂ ଭାରତ ଉପରେ କ’ଣ ରହିବ ଏହି ଆକ୍ରମଣର ପ୍ରଭାବ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଦେଶରେ ଆମେରିକୀୟ ସୈନ୍ୟଙ୍କ ସୁରକ୍ଷା ପାଇଁ ଇରାନର ରିଭୋଲୁଶନାରି ଗାର୍ଡସ କମାଣ୍ଡର କାସିମ ସୁଲେମାନୀଙ୍କୁ ହତ୍ୟା କରିବାକୁ ନିର୍ଦେଶ ଦେଇଥିଲେ ବୋଲି ଶୁକ୍ରବାର ସେଠାର ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି । ଜେନେରାଲ ସୁଲେମାନୀ ସକ୍ରିୟ ଭାବେ ଇରାକରେ ଆମେରିକାର କୂଟନୀତିଜ୍ଞ ଓ ଅନ୍ୟ ସୈନ୍ୟଙ୍କ ଉପରେ ଆକ୍ରମଣର ଯୋଜନା ପ୍ରସ୍ତୁତ କରୁଥିଲେ । ଜେନେରାଲ ସୁଲେମାନୀ ଓ ତାଙ୍କର କୁଦସ ଫୋର୍ସ ଶତାଧିକ ଆମେରିକୀୟ ଓ ଅନ୍ୟ ମେଣ୍ଟ ସହଯୋଗୀଙ୍କ ସଦସ୍ୟଙ୍କୁ ହତ୍ୟା ଏବଂ ରକ୍ତାକ୍ତ କରିବା ପାଇଁ ଦାୟୀ । ସୁଲେମାନୀଙ୍କ ଜୀବନ ଯିବା ପରେ ଟ୍ରମ୍ପ ବିଶେଷ କିଛି ନ କହି ଆମେରିକାର ଜାତୀୟ ପତାକାକୁ ଟୁଇଟ କରିଛନ୍ତି । ଇରାନର ରିଭୋଲୁଶନାରି ଗାର୍ଡ ସରକାରୀ ଟିଭି ଚ୍ୟାନେଲରେ ଏକ ବିବୃତି ଜାରି କରି ଏହି ବିଷୟ ସ୍ୱୀକାର କରିଛି । ବାଗଦାଦରେ ଆମେରିକୀୟ ବଳର ଆକାଶ ମାର୍ଗରୁ ରକେଟ ମାଡ଼ରେ ସୁଲେମାନୀଙ୍କ ସହ ଆଉ କେତେଜଣ ସୈନ୍ୟ ନିହତ ହୋଇଥିବା ଏଥିରେ ସ୍ପଷ୍ଟ କରାଯାଇଛି ।

ଭାରତ ସହ ସୁଲେମାନୀଙ୍କ ସମ୍ପର୍କ: ଦିଲ୍ଲୀରେ ଏକ ଆକ୍ରମଣ ବେଳେ ସାମନାକୁ ଆସିଥିଲା ଅଲ-କୁଦସ ଇରାନର ସମ୍ପୃକ୍ତି


ବାଗଦାଦ ବିମାନବନ୍ଦରରେ ଆମେରିକା ସେନାର ଆକ୍ରମଣରେ ନିହତ ଇରାନର ରିଭୋଲୁଶନାରି ଗାର୍ଡସ କମାଣ୍ଡର କାସିମ ସୁଲେମାନୀ କେବଳ ଏହି ସୁରକ୍ଷା ବଳର ପ୍ରମୁଖ ନଥିଲେ । ଏହାସହ ସ୍ୱତନ୍ତ୍ର ଆକ୍ରମଣ ୟୁନିଟ ଅଲ୍-କୁଦସ ଫୋର୍ସ ମଧ୍ୟ ତାଙ୍କ ନିଦେ୍ର୍ଦଶରେ କାମ କରୁଥିଲା । ଉଲ୍ଲେଖନୀୟ ଯେ ଏହି ଫୋର୍ସକୁ ଇରାନ ରିଭୋଲୁଶନାରି ଗାର୍ଡର ସବୁଠୁ ଗୁରୁତ୍ୱପୂର୍ଣ୍ଣ ୟୁନିଟ ବୋଲି ବିବେଚନା କରାଯାଏ । ଇରାନର ସୁପ୍ରିମ ଲିଡର ଆୟାତୁଲ୍ଲା ଖେମେନୀଙ୍କ ଘନିଷ୍ଠ ମନେକରାଯାଉଥିବା ସୁଲେମାନୀଙ୍କୁ ୨୦୦୨ରେ ଅଲ-କୁଦସ ଫୋର୍ସର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ସିରିଆ ଓ ଲେବାନନରୁ ନେଇ ଜର୍ମାନୀ ଏବଂ ଏପରିକି ଭାରତ ପର୍ଯ୍ୟନ୍ତ ବୋମା ବିସ୍ଫୋରଣ, ଆକ୍ରମଣ ତଥା ହତ୍ୟା ଉଦ୍ୟମ ସହିତ ଯୋଡ଼ିହୋଇ ରହିଛି ଏହି ଫୋର୍ସର ନାମ । ମିଡିଆ ରିପୋର୍ଟ ଅନୁସାରେ ୨୦୧୨ ଫେବୃୟାରୀରେ ଦିଲ୍ଲୀରେ ଇସ୍ରାଏଲର ଜଣେ କୂଟନୀତିଜ୍ଞଙ୍କ ଗାଡ଼ିକୁ ଟାର୍ଗେଟ କରିବା ଅଭିଯୋଗ ଅଲ-କୁଦସ ଫୋର୍ସ ବିରୋଧରେ ଆସିଥିଲା । ଦିଲ୍ଲୀ ପୋଲିସ ତଦନ୍ତ ପରେ ରିପୋର୍ଟରେ ଉଲ୍ଲେଖ କରିଥିଲା ଯେ ବିସ୍ଫୋରଣ ପାଇଁ ଏହି ବିଫଳ ଉଦ୍ୟମରେ ସାମିଲ କିଛି ସନ୍ଦିଗ୍ଧ ଇରାନର ରିଭୋଲୁଶନାରି ଗାର୍ଡସ ଅଧୀନ ଏକ ସ୍ୱତନ୍ତ୍ର ୟୁନିଟର ସଦସ୍ୟ ଥିଲେ ।

ଭାରତ ଉପରେ ପ୍ରଭାବ: ଇରାନ ଉପରେ ଆମେରିକା ସେନାର ଆକ୍ରମଣ ଯୋଗୁ ତୈଳ ଦର ବୃଦ୍ଧି ପାଇଛି । ଜାଣନ୍ତୁ ଭାରତକୁ ଏହା କେତେ ପ୍ରଭାବିତ କରିବ…


ଆମେରିକା ସେନାର ଆକ୍ରମଣ ପରେ ସାରା ବିଶ୍ୱରେ ଅଶୋଧିତ ତୈଳ ଦରରେ ନିଆଁ ଲାଗିଛି । ବ୍ରେଣ୍ଟ ତୈଳ ଦର ବ୍ୟାରେଲ ପିଛା ୪.୪% ବୃଦ୍ଧି ପାଇ ୬୯.୧୬ ଡଲାରରେ ପହଂଚିଛି । ସେହିପରି ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ ତୈଳ ଦଳର ୪.୩% ବଢ଼ି ୬୩.୮୪ ଡଲାର ହୋଇଛି । ଏଥିଯୋଗୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବ । ଭାରତ ପଶ୍ଚିମ ଏସିଆର ସବୁଠୁ ବେଶି ପରିମାଣର ଅଶୋଧିତ ତୈଳ ଆମଦାନୀ କରିଥାଏ । ଏହି ଆକ୍ରମଣ ପରେ ଭାରତର ତୈଳ ଅମାଦାନୀ ପ୍ରଭାବିତ ହେବ ଓ ଦେଶରେ ପେଟ୍ରୋଲ ଡିଜେଲ ଦର ବଢ଼ିବ । ତୈଳ ଦର ବୃଦ୍ଧି ପାଇଲେ ପରିବହନ ମଧ୍ୟ ମହଙ୍ଗା ହେବ । ଫଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ମଧ୍ୟ ବଢ଼ିବା ସ୍ୱାଭାବିକ । ପିଆଜ, ଟମାଟର ଆଦିର ଆକାଶଛୁଆଁ ଦରଦାମକୁ ନେଇ ହଇରାଣ ହେଉଥିବା ଭାରତୀୟଙ୍କ ପାଇଁ ଏହା ଏକ ଭୟାନକ ଖବର । ସେହିପରି ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ମଧ୍ୟ କମିଛି । କ୍ରୁଡ୍ ଅଏଲ ଦର ବ୍ୟାରେଲ ପିଛା ୧୦ ଡଲାର ବଢ଼ିଲେ ସବୁ ଜିନିଷ ମହଙ୍ଗା ହେବ । ଆମ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ ।
Spread the love