July 27, 2024

Satya News

odia news channel

ରାଜନୈତିକ ଶତ୍ରୁତାରୁ ୨ଜଣଙ୍କୁ ହତ୍ୟା

ବାଙ୍କୀ,୧୬/୨: ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏକ ୱେବ ପୋର୍ଟାଲର ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ(୩୮) ଓ ଖଜୁରୀପଦା ନୂଆଗାଁ ପଞ୍ଚାୟତର ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କୁ ଶନିବାର ଅପରାହ୍ଣରେ ନିର୍ମମ ଭାବେ ହତ୍ୟା କରାଯାଇଛି। ଆଦିତ୍ୟଙ୍କ ଘର ବରପୁଟ ପଞ୍ଚାୟତର ଖଜୁରୀପଦା ଗାଁ’ରେ ବୋଲି ଜଣାପଡ଼ିଛି। ଦୁର୍ବୃତ୍ତମାନେ ତାଙ୍କୁ ଜୋକଲାଞ୍ଜି ପ୍ରକଳ୍ପଠାରେ ହାଣି ହତ୍ୟା କରିଛନ୍ତି। ତାଙ୍କ ଡାହାଣ ଗୋଡକୁ ହାଣି ଦୁର୍ବୃତ୍ତମାନେ ଅଲଗା କରିଦେଇଛନ୍ତି। ସମ୍ପୂର୍ଣ୍ଣ ଦେହ କ୍ଷତବିକ୍ଷତ ହେବା ଫଳରେ ସେ ରକ୍ତଶୂନ୍ୟ ହୋଇପଡିବା ସହ ପ୍ରାଣ ହରାଇଥିଲେ। ଏଥିସହ ଖଜୁରୀପଦା ନୂଆଗାଁର ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କୁ ମଧ୍ୟ ଆକ୍ରମଣ କରାଯାଇ ଡାହାଣ ଗୋଡକୁ ହାଣିଦିଆଯାଇଛି। ଖବରପାଇ ସ୍ଥାନୀୟ ଲୋକ ଏକ ବୋଲେରୋ ଯୋଗେ ଉଭୟଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ପଦ୍ମଲୋଚନ ପଣ୍ଡା ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ମୃତଘୋଷଣା କରିଥିଲେ। ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ୧୦୮ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା। ମାତ୍ର କଟକ ଯିବା ବାଟରେ ଭଗବାନଙ୍କର ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ତରଫରୁ ସ୍ଥାନୀୟ ଥାନାକୁ ଜଣାଇ ଦିଆଯାଇଥିଲା। ଏ ନେଇ ୩୭/୨୦୨୦ ଏକ ମାମଲା ରୁଜୁ କରାଯାଇଛି। ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ପ୍ରସନ୍ନ କୁମାର ବିଶ୍ୱାଳ ଓ ବାଙ୍କୀ ଥାନାଧିକାରୀ ସମୀର କୁମାର ପଣ୍ଡା ତୁରନ୍ତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଆସାମୀମାନଙ୍କୁ ତୁରନ୍ତ ଧରିବା ପାଇଁ ବାଙ୍କୀ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି। ଘଟଣାସ୍ଥଳକୁ କଟକ ଜିଲ୍ଲା ଗ୍ରାମାଞ୍ଚଳ ଅରକ୍ଷୀ ଅଧିକାରୀ ରାଧାବିନୋଦ ପାଣିଗ୍ରହୀ ଓ ସାଇଣ୍ଟିଫିକ୍ ଟିମ୍ ଯାଇ ତଦନ୍ତ କରିଛନ୍ତି।

Spread the love