July 27, 2024

Satya News

odia news channel

ଏନସିପି ନେତା ଡି.ପି. ତ୍ରିପାଠୀଙ୍କ ପରଲୋକ

ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ଥିଲେ ଏହି ବର୍ଷିୟାନ ନେତା

ନୂଆଦିଲ୍ଲୀ,୨ ।୧: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ଦେବୀ ପ୍ରସାଦ ତ୍ରିପାଠୀଙ୍କ ପରଲୋକ ହୋଇଛି । ତାଙ୍କୁ ୬୭ ବର୍ଷ ହୋଇଥିଲା । ସେ କର୍କଟ ରୋଗରେ ପୀଡ଼ିତ ଥାଇ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ । କଂଗ୍ରେସରେ କ୍ୟାରିୟର ଆରମ୍ଭ କରିଥିବା ତ୍ରିପାଠୀ ପରବର୍ତ୍ତୀ ସମୟରେ ଶରଦ ପାୱାରଙ୍କ ଦଳ ଏନସିପିରେ ସାମିଲ ହୋଇଥିଲେ । ଡି.ପି. ତ୍ରିପାଠୀ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ମହାରାଷ୍ଟ୍ରରୁ ରାଜ୍ୟସଭା ସାଂସଦ ଥିଲେ । ସେ ଏନସିପିର ମହାସଚିବ ଓ ପ୍ରବକ୍ତା ମଧ୍ୟ ଥିଲେ । ଏନସିପି ନେତା ସୁପ୍ରିୟା ସୁଲେ ଟୁଇଟ କରି ତାଙ୍କ ପରଲୋକ ନେଇ ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।
୧୯୫୨ ନଭେମ୍ବର ୨୯ରେ ୟୁପିର ସୁଲତାନପୁରରେ ଜନ୍ମିତ ଡି.ପି. ଛାତ୍ରାବସ୍ଥାରେ ରାଜନୀତି ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂସଦ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ପରେ ସେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ପ୍ରଫେସର ନିଯୁକ୍ତ ହୋଇଥିଲେ । ‘ଥିଙ୍କ ଇଣ୍ଡିଆ’ ପତ୍ରିକାରେ ସେ ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ଡି.ପି. ତ୍ରିପାଠୀଙ୍କର ଏକାଧିକ ଭାରତୀୟ ଓ ବିଦେଶୀ ଭାଷାରେ ଦକ୍ଷତା ଥିଲା । ରାଜନୀତିରେ ଯୋଗଦେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ପାଲଟିଥିଲେ ଏହି ବର୍ଷୀୟାନ ନେତା । ହେଲେ ପରବର୍ତ୍ତୀ ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଇଟାଲୀ ନାଗରିକତାକୁ ନେଇ ଦଳ ଛାଡ଼ିଥିଲେ । ସେ ୧୯୯୯ରେ ଏନସିପିରେ ମିଶି ଦଳର ସାଧାରଣ ସମ୍ପାଦକ ଓ ମୁଖପତ୍ର ପଦବୀରେ ରହିଥିଲେ । ନିକଟରେ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ସହ ଆସନ ଭାଗବଣ୍ଟାର ହିସାବ ଛିଣ୍ଡାଇଥିଲେ ଡି.ପି. ତ୍ରିପାଠୀ ।

Spread the love