July 26, 2024

Satya News

odia news channel

ଦୁର୍ନୀତିଗ୍ରସ୍ତ ଓ ଅପାରଗ ପୋଲିସ ବାବୁ ଏବେ ହେବେ ଆଉଟ୍, ବାଧ୍ୟତାମୂଳକ ଅବସର ତାଲିକାରେ ୨୨୮ ଇନ୍ସପେକ୍ଟର

 

କଟକ: ରାଜ୍ୟର ବିଭିନ୍ନ ଥାନାରେ କାର୍ଯ୍ୟରତ ଅଯୋଗ୍ୟ, ଦୁର୍ନୀତିଗ୍ରସ୍ତ ତଥା କାମରେ ଢିଲା ମାରୁଥିବା ପୋଲିସ ବାବୁଙ୍କୁ ଆଉ ନିସ୍ତାର ନାହିଁ । କାର୍ଯ୍ୟକ୍ଷେତ୍ରରେ ଅବହେଳା କରୁଥିବା, ନିଜ ବୃତ୍ତି ପ୍ରତି ନିଷ୍ଠା ରଖିନଥିବା ଦୁର୍ନୀତିଖୋର୍‌ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ । ଏଥିପାଇଁ ପୋଲିସ ମୁଖ୍ୟାଳୟରୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ପ୍ରକ୍ରିୟା ବିଭାଗର ଉପର ସ୍ତରରୁ ହିଁ ଆରମ୍ଭ ହୋଇଯାଇଛି । ପ୍ରଥମେ ପୋଲିସ ଇନ୍ସପେକ୍ଟରଙ୍କ ଉପରେ ଖଣ୍ଡା ଝୁଲିବ। ଚାକିରିରେ ୩୦ ବର୍ଷ କାର୍ଯ୍ୟକାଳ ପୂରଣ କରିସାରିଥିବା କିମ୍ବା ୫୦ରୁ ୫୫ ବର୍ଷ ବୟସ୍କ ଯେଉଁ ପୁଲିସ ଇନ୍ସପେକ୍ଟରଙ୍କ ବିରୋଧରେ ଦୁର୍ନୀତି ବା ଅପରାଧିକ ମାମଲା ଥିବ, ଅବା ବିଭିନ୍ନ କାରଣରୁ ଯେଉଁମାନେ ଆଇନଗତ ବିବାଦରେ ଛନ୍ଦି ହୋଇଥିବେ, ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ପ୍ରଥମେ ଏହି ବର୍ଗରେ ଆସୁଥିବା ୨୨୮ ଜଣ ଇନ୍ସପେକ୍ଟରଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଇତିମଧ୍ୟରେ ତାଲିକାଭୁକ୍ତ ୨୨୮ ଇନ୍ସପେକ୍ଟରଙ୍କ ମଧ୍ୟରୁ କିଛି ଇନ୍ସପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିସ ଆସିଯାଇଥିବା ଚର୍ଚ୍ଚା ହେଉଛି । ସରକାରୀ କଳକୁ ଅଧିକ ଦକ୍ଷ, ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ପାଇଁ ଅଯୋଗ୍ୟ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ବିଦା କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଏପରି ସରକାରୀ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ ଓଡ଼ିଶା ସର୍ଭିସ୍‌ କୋଡ୍‌ ରୁଲ୍‌-୭୧, ଧାରା (କ) ଅନୁସାରେ ନିର୍ଦ୍ଧାରିତ ସମୟ ଅନୁସାରେ ସେମାନଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯାଉଛି ।

ପ୍ରଥମେ ୩୦ ବର୍ଷ କାର୍ଯ୍ୟକାଳ କିମ୍ବା ୫୦ରୁ ୫୫ ବର୍ଷ ବୟସ୍କ ୨୨୮ଜଣ ଇନ୍ସପେକ୍ଟରଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ତାକୁ ବିଭିନ୍ନ ପୋଲିସ ପ୍ରତିଷ୍ଠାନର ମୁଖ୍ୟ, ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ପଠାଯାଇଛି । ଏହି ତାଲିକା ମଧ୍ୟରୁ କେଉଁମାନଙ୍କ ବିରୋଧରେ ଦୁର୍ନୀତି ମାମଲା, ଅପରାଧିକ ମାମଲା, ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଦି ହୋଇଛି ସେମାନଙ୍କୁ ଚିହ୍ନଟ କରି ସୂଚନା ଦେବାକୁ କୁହାଯାଇଛି । ଏମାନଙ୍କ ମଧ୍ୟରୁ କାହାକୁ ଗତ ୫ ବର୍ଷ ଭିତରେ ବା ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା କେତେ ପ୍ରଶଂସାପତ୍ର ମିଳିଛି ଏବଂ ଦଣ୍ଡ ବିଧାନ (ପନିସ୍‌ମେଣ୍ଟ) କରାଯାଇଛି ସେସବୁର ସମସ୍ତ ସୂଚନା ମଗାଯାଇଛି । ସାମାନ୍ୟ ଦଣ୍ଡ ହେଉ ଅବା କଠୋର ଦଣ୍ଡ ହେଉ ସେସବୁର ଟିକିନିଖି ବିବରଣୀ ସର୍ଭିସ୍‌ ବୁକ୍‌ ସହ ପଠାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ଇନ୍ସପେକ୍ଟରମାନେ ମୂଳ ସ୍ଥାନରୁ ଡେପୁଟେସନ୍‌ରେ ଅନ୍ୟ ପୋଲିସ୍‌ ସଂସ୍ଥାକୁ ଯାଇଥିବେ ସେମାନଙ୍କ ବାବଦରେ ରେକର୍ଡ ଅତିରିକ୍ତ ଡିଜି କ୍ରାଇମବ୍ରାଞ୍ଚଙ୍କ ନିକଟକୁ ପଠାଇବା କୁହାଯାଇଥିବା ସୂଚନା ମିଳିଛି । ସମସ୍ତ ପ୍ରକ୍ରିୟା ପରେ ରିଭ୍ୟୁ କମିଟି ମାଧ୍ୟମରେ ଏହି ରିପୋର୍ଟର ସମୀକ୍ଷା କରାଯାଇ ବାଧ୍ୟତାମୂଳକ ଅବସର ବାବଦରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

Spread the love