July 27, 2024

Satya News

odia news channel

ଆଜିଠୁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର

 

ଭଦ୍ରକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ମନ୍ଦିର ଏବେ ଗୋଟିଏ ପରେ ଗୋଟିଏ ଖୋଲୁଛି। ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ଆଜି ଖୋଲିଛି ଭଦ୍ରକ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାର ବାବାଙ୍କ ଦର୍ଶନ ପାଇବେ।  ଏହାପର ୨ ଦିନ ସ୍ଥାନୀୟ ଲୋକ ଏବଂ ତା’ ପରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିବ। ତେବେ କରୋନା କଟକଣା ଭିତରେ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ ପାଇବେ।

ସୂଚନା ଅନୁଯାୟୀ, ଆଜିଠାରୁ ବାବା ଆରଡ଼ି ଆଖଣ୍ଡଳମଣିଙ୍କ ମନ୍ଦିର ଖୋଲିବ। ନିଷ୍ପତ୍ତି ଅନୁଯାୟୀ,  ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାରଙ୍କୁ ଦର୍ଶନ ଅନୁମତି ମିଳିଛି । ତାପର ଦୁଇ ଦିନ ଅର୍ଥାତ୍ ୩୦ ଓ ୩୧ ତାରିଖ ସ୍ଥାନୀୟ ପଞ୍ଚାୟତର ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ। ୩ ତାରିଖରୁ ମନ୍ଦିରକୁ ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିବ।

ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ସେହିପରି ସେବାୟତମାନଙ୍କ ପରିଚୟପତ୍ର ବାଧ୍ୟତାମୂଳକ ରହିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୂଚନାଥାଉ କି, ୯ ମାସର ପ୍ରତୀକ୍ଷାର ଅନ୍ତ ପରେ ଗତ ୨୭ ତାରିଖରୁ ଖୋଲିଥିଲା ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାର ପ୍ରଭୁଙ୍କୁ ଦର୍ଶନ କରିଥିଲେ । ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ହିଁ ଦର୍ଶନ କରିବେ ବୋଲି ସୂଚନା ଦିଆଯାଇଥିଲା। ଏଥିପାଇଁ ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରୁ ବ୍ୟାରିକେଡ୍ୟ କରାଯାଇଥିଲା। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଆସି ପରିଚୟ ପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିଥିଲେ।

ତେବେ ନୂଆବର୍ଷ ଭିଡ ଏବଂ କୋଭିଡ କଟକଣାକୁ ଦୃଷ୍ଟିରେ ରଖି  ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ତା‘ ପରେ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। ୬ ତାରିଖଠାରୁ ସାଧାରଣ ଲୋକେ ଦର୍ଶନ କରିପାରିବେ। ମନ୍ଦିର ପରିସରରେ ସର୍ବାଧିକ ୫ଶହ ଲୋକ ରହିପାରିବେ ବୋଲି ପୂର୍ବରୁ କହିଥିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ୬ ତାରିଖ ଠାରୁ ସାଧାରଣ ଲୋକେ ଦର୍ଶନ କରିପାରିବେ।

ସେହିପରି ଗତ ୨୩ ତାରିଖରୁ ଖୋଲିଛି ଶ୍ରୀମନ୍ଦିର। ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଜଗତର ନାଥ ଜଗନ୍ନାଥ।  ଏଥିପାଇଁ ଜାରୀ ହୋଇଛି ସ୍ୱତନ୍ତ୍ର ଏସ୍‌ପି। ପ୍ରଥମ ୩ ଦିନ ସେବାୟତ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହର ବାସିନ୍ଦା ଭକ୍ତଙ୍କ ଦର୍ଶନ କରିବେ।

ତେବେ ସ୍ୱତନ୍ତ୍ର ଏସ୍ଓପି ଅନୁସାରେ ସେବାୟତ ହୁଅନ୍ତୁ କି ପୁରୀ ବାସିନ୍ଦା, ସମସ୍ତଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ  କିମ୍ବା ଅନ୍ୟ ପରିଚୟପତ୍ର ସାଙ୍ଗରେ ଆଣି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।

ପୁରୀ ସହରର ପ୍ରତି ଓ୍ୱାର୍ଡରେ ବୁଲି ମ୍ୟୁନିସିପାଲିଟି ପକ୍ଷରୁ ପରିବାର ମୁଖ୍ୟଙ୍କ ନାଁରେ ଟୋକନ୍ ଦିଆଯାଇଥିଲା । କେଉଁ ଦିନ କେଉଁ ଓ୍ୱାର୍ଡ ବାସୀ କେତେବେଳେ ଦର୍ଶନ ସୁଯୋଗ ପାଇବେ ସେ ସମୟ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ଥିର କରିଥିଲା ।  ପ୍ରବେଶ ପଥରେ ଅନୁମତି ମିଳିବା ପରେ ସେମାନଙ୍କୁ ଆଧାରକାର୍ଡ କିମ୍ବା ଭୋଟ ପରିଚୟପତ୍ର ଦେଖାଇବାକୁ ପଡିବ ।

ଅନ୍ୟପକ୍ଷେ ଆସନ୍ତା ୨୯ରୁ ଖୋଲିବ ଯାଜପୁରର ମା ବିରଜା ମନ୍ଦିର। ସକାଳ ୬ରୁ ସନ୍ଧ୍ୟା ୫ ଯାଏଁ ଦର୍ଶନ କରିପାରିବେ ଭକ୍ତ, ଗହଳି ଏଡ଼ାଇବାକୁ ଜାନୁଆରୀ ୧,୨ ଓ ୩ ତାରିଖ ମନ୍ଦିର ବନ୍ଦ ରହିବ ବୋଲି ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ।

Spread the love