July 27, 2024

Satya News

odia news channel

ଘୋଷଣା ଆଉ ଭିତ୍ତିପ୍ରସ୍ଥର ସ୍ଥାପନ ଲାଗି ପଇସା ପଡ଼େ ନାହିଁ: ଲେଖାଶ୍ରୀ

 

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରି ପ୍ରାୟ  ସୁନ୍ଦରଗଡବାସୀଙ୍କୁ ୪୯୧୫ କୋଟି ଟଙ୍କାର ଭେଟି ଦେଇଛନ୍ତି  ନବୀନ ପଟ୍ଟନାୟକ। ରାଉରକେଲାର ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ସୁନ୍ଦରଗଡବାସୀଙ୍କୁ ଉଦବୋଧନ ମଧ୍ୟ ଦେଇଥିଲେ। ଜିଲ୍ଲାଗସ୍ତ କରି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିବା ସହ ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ।

ଆଉ ଏପଟେ ନବୀନଙ୍କ ଗସ୍ତକୁ ନେଇ ବର୍ଷିଛନ୍ତି ରାଜ୍ୟ ବିଜେପିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର। ସେ କହିଛନ୍ତି, ଘୋଷଣା କରିବା ପାଇଁ ପଇସା ଲାଗେ ନାହିଁ କି ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପଇସା ପଡ଼େନି। ହେଲେ ଏହାକୁ ସଫଵ ଭାବରେ କାର୍ଯ୍ୟକାରୀ କରିବାକୁ ଅର୍ଥ ଓ ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ, ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି। ୨୧ ବର୍ଷ ଭିତରେ ଏମିତି ହଜାର ହଜାର ଭିତ୍ତିପ୍ରସ୍ତର ଓଡ଼ିଶାସାରା ଗଡ଼ି ବୁଲୁଛି, କିନ୍ତୁ କାର୍ଯ୍ୟକାରୀ ହେବାରେ ନାଁ ଧରୁନାହିଁ।

ସେପଟେ ବିଜେପି ସାଂସଦ ଜୁଏଲ ଓରାମ ମଧ୍ୟ କହିଛନ୍ତି, ବିଜେଡିର ଏପରି ଦିନିକିଆ ହୋହାଲ୍ଲାରେ କିଛି ହେବନି। ସୁନ୍ଦରଗଡ଼ର ଜଣେ ବି ମନ୍ତ୍ରୀ ଏବେ ନବୀନ ସରକାରରେ ନାହାନ୍ତି, ଏଠି ଆଦିବାସୀଙ୍କୁ କିଛି ମହତ୍ତ୍ୱ ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି ଜୁଏଲ।

ତେବେ ବିରୋଧ ପରେ ବି ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ରାଉରକେଲା ହେଉଛି ଆଶାର ସହର। ସୁନ୍ଦରଗଡ଼ ମାଟି, ପାଣି, ପବନରେ ହକିର ଆତ୍ମା ରହିଛି। ରାଉରକେଲାକୁ ହକି ବିଶ୍ୱକପ୍ ଭେନ୍ୟୁ ଲାଗି ମନୋନୀତ କରାଯାଇଛି। ଏହି ହକି ଷ୍ଟାଡିୟମର ନାଁ ବିର୍ସା ମୁଣ୍ଡା ଷ୍ଟାଡିୟମ ରଖାଗଲା ବୋଲି ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଷ୍ଟାଡିଅମ୍ ଦେଶର ସବୁଠାରୁ ବଡ ଷ୍ଟାଡିଅମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଯୁବ ସମାଜ ମଧ୍ୟରେ ପ୍ରେରଣା ସୃଷ୍ଟି କରିବ ଏବଂ ବଡ ବଡ ସ୍ୱପ୍ନ ଦେଖିବା ଓ କାମ କରିବା ପାଇଁ ଉତ୍ସାହ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

Spread the love