November 7, 2025

ନିର୍ଭୟା ମାମଲା: ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୩/୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଫାଶୀଦଣ୍ଡ ଉପରେ ରହିତାଦେଶକୁ ଚାଲେଞ୍ଜ୍ କରି କେନ୍ଦ୍ର ସରକାର ଓ ତିହାର ଜେଲ୍ କର୍ତ୍ତୃପକ୍ଷ କରିଥିବା ଆବେଦନର ଦିଲ୍ଲୀ ହାଇକୋର୍ଟ ରବିବାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଏହି ଶୁଣାଣିବେଳେ ଜଷ୍ଟିସ୍ ସୁରେଶ କୈଟଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କୁ ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ, ୨୦୧୨ ଡିସେମ୍ବର ୧୬ରେ ଘଟିଥିବା ଏହି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀମାନେ ଫାଶୀଦଣ୍ଡକୁ ବିଳମ୍ବିତ କରିବା ଉଦ୍ଦେଶ୍ୟରେ ଏଭଳି ଆଇନ୍‌ର ଦୁରୁପଯୋଗ କରିବାକୁ ଉଦ୍ୟମ କରୁଛନ୍ତି। ନ୍ୟାୟ ଦୃଷ୍ଟିରୁ ଫାଶୀଦଣ୍ଡରେ ବିଳମ୍ବ କରାଯାଇନପାରେ। ଏଥିରେ ବିଳମ୍ବ ହେଲେ ଅଭିଯୁକ୍ତଙ୍କ ଉପରେ ଏହା ଅମାନବୀୟ ପ୍ରଭାବ ପକାଇବ। ରାଷ୍ଟ୍ରପତି ଏ ସମ୍ପର୍କରେ ପ୍ରକୃତ ସତ୍ୟାସତ୍ୟ ପରଖି ମୁକେଶ ଓ ବିନୟଙ୍କ ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥିସହ କୌଣସି ମନଗଢ଼ା ବିଷୟକୁ ଭିତ୍ତିକରି କୋର୍ଟ ରାୟ ଦେଇପାରିବେ ନାହିଁ ଏବଂ ଏସବୁ ଦୃଷ୍ଟିରୁ ଫାଶୀଦଣ୍ଡ ବିଳମ୍ବିତ ହୋଇପାରିବ ନାହିଁ ବୋଲି ସଲିସିଟର ଜେନେରାଲ କହିଥିଲେ। ଏକସଙ୍ଗେ ୪ ଜଣଙ୍କୁ ଫାଶୀ ଦିଆଯିବା ପରିବର୍ତ୍ତେ ଜଣଜଣ କରି ଫାଶୀ ଦିଆଯିବାରେ ଦିଲ୍ଲୀ ସରକାର କିମ୍ବା ତିହାର ଜେଲ୍ କର୍ତ୍ତୃପକ୍ଷଙ୍କର କୌଣସି ସମସ୍ୟା ନାହିଁ ବୋଲି ମେହଟା ଖଣ୍ଡପୀଠଙ୍କୁ ସ୍ପଷ୍ଟ କରିଥିଲେ। ସୂଚନାଯୋଗ୍ୟ, ଶୁକ୍ରବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ୪ ଦୋଷୀ ବିନୟ ଶର୍ମା, ପବନ ଗୁପ୍ତା, ଅକ୍ଷୟ କୁମାର ଓ ମୁକେଶ ସିଂହଙ୍କ ଫାଶୀଦଣ୍ଡ ଉପରେ ରୋକ୍ ଲଗାଇଥିଲେ।

Spread the love