February 8, 2025

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌: ଟିମ୍‌ ଇଣ୍ଡିଆର କ୍ଲିନ ସ୍ୱିପ

ମାଉଣ୍ଟମଙ୍ଗନୁଇ,୩/୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଏଠାରେ ରବିବାର ଅନୁଷ୍ଠିତ ୫ମ ତଥା ଅନ୍ତିମ ଟି-୨୦ ମୁକାବିଲାକୁ ଭାରତ ୭ ରନ୍‌ରେ ଜିତିନେଇଛି। ଏହି ବିଜୟ ଫଳରେ ଭାରତ ପ୍ରଥମଥର ଲାଗି ବିଦେଶ ମାଟିରେ ଦ୍ୱାପାକ୍ଷିକ ଟି-୨୦ ସିରିଜ୍‌କୁ ୫-୦ରେ ଜିତି ରେକର୍ଡ ହାସଲ କରିଛି। ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମୁକାବିଲାକୁ ୭ ରନ୍‌ରେ ଜିତିବା ପରେ ଭାରତ ଏହି ଐତିହାସିକ ସଫଳତା ହାସଲ କରିଛି। ଏହା ପୂର୍ବରୁ ବିଦେଶ ମାଟିରେ ଭାରତ ଦୁଇଥର ଦ୍ୱିପାକ୍ଷିକ ସିରିଜ୍‌ର ସମସ୍ତ ମୁକାବିଲାରେ ବିଜୟୀ ହୋଇଥିଲା । ୨୦୧୯ରେ ୱେଷ୍ଟଇଣ୍ଡିଜ୍‌କୁ ୱେଷ୍ଟଇଣ୍ଡିଜ୍‌ରେ ୩-୦ ଏବଂ ୨୦୧୬ରେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ୩-୦ରେ ହରାଇଥିଲା। ସୂଚନାନୁଯାୟୀ, ଶେଷ ମୁକାବିଲାରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ରୋହିତ ଶର୍ମାଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ କରିଥିଲା। ଜବାବରେ ଆୟୋଜକ ନ୍ୟୁଜିଲାଣ୍ଡ ସମସ୍ତ ଓ୍ଵିକେଟ୍‌ ହରାଇ ୧୫୬ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଭାରତୀୟ ବୋଲରମାନେ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ବିରୋଧରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ଦ୍ରୁତ ବୋଲର ଯଶପ୍ରୀତ ବୁମରା ନ୍ୟୁଜିଲାଣ୍ଡର ବିପର୍ଯ୍ୟୟ ଘଟାଇଥିଲେ। ସେ ୪ ଓଭର ବୋଲିଂ କରି ମାତ୍ର ୧୨ ରନ୍‌ ଖର୍ଚ୍ଚ କରିଥିବାବେଳେ ୩ଟି ଓ୍ଵିକେଟ୍‌ ନେଇ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ନଭଦୀପ ସଇନି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ୨ ଲେଖାଏଁ ଓ୍ଵିଟେକ ମିଳିଥିଲାବେଳେ ଓ୍ଵାସିଂଟନ୍‌ ସୁନ୍ଦର ଗୋଟିଏ ଓ୍ଵିକେଟ୍‌ ନେଇଥିଲେ। ନ୍ୟୁଜିଲାଣ୍ଡ ପାଇଁ ଟିମ୍‌ ସିଫର୍ଟ(୫୦ ରନ୍‌) ଓ ରସ ଟେଲର(୫୩ ରନ୍‌) ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଏହା ମ୍ୟାଚ୍‌ ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା। ଭାରତ ପକ୍ଷରୁ ଓପନର ଲୋକେଶ ରାହୁଲ ୩୩ଟି ବଲ ଖେଳି ୪୫ ରନ୍‌ ଯୋଡ଼ିଥିଲେ। ଏଥିରେ ୪ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଯୁବ ବ୍ୟାଟ୍‌ସମ୍ୟାନ୍‌ ଶ୍ରେୟସ୍‌ ଆୟର ୩୧ଟି ବଲ ଖେଳି ୩୩ ରନ୍‌ କରି ଅପରାଜିତ ପାଭଲିଅନ୍‌କୁ ଫେରିଥିଲେ। ମନୀଷ ପାଣ୍ଡେ ମଧ୍ୟ ୪ଟି ବଲ ଖେଳି ଅପରାଜିତ ୧୧ ରନ୍‌ ସଂଗ୍ରହ କରିଥିଲେ।

Spread the love