January 21, 2025

ଅଷ୍ଟ୍ରେଲିଆନ୍ ଓପନ୍‌: ଟାଇଟଲ୍‌ ହାସଲ କଲେ ଜୋକୋଭିଚ୍‌

ମେଲ୍‌ବର୍ଣ୍ଣ,୩/୨: ୨୦୨୦ର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ସିଙ୍ଗଲ୍ସରେ ସର୍ବିୟାର ନୋଭାକ୍ ଜୋକୋଭିଚ୍ ଚାମ୍ପିଅନ୍ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ୍‌ରେ ସେ ଅଷ୍ଟ୍ରିଆର ଡୋମିନିକ୍ ଥିମ୍‌ଙ୍କୁ ଏକ ସଂଘର୍ଷପୂର୍ଣ୍ଣ ଲଢ଼େଇରେ ୬-୪, ୪-୬, ୨-୬, ୬-୩, ୬-୪ ସେଟ୍‌ରେ ହରାଇ ଏଠାରେ ଅଷ୍ଟମ ଟାଇଟଲ୍ ହାସଲ କରିଛନ୍ତି। ଫଳରେ ଏହି ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ଏଟିପି ର‌୍ୟାଙ୍କିଙ୍ଗ୍‌ରେ ଦ୍ୱିତୀୟ ସ୍ଥାନରେ ଥିବା ୩୨ ବର୍ଷୀୟ ଜୋକୋଭିଚ୍ ଶୀର୍ଷକୁ ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ ହୋଇଛି। ଏଥିସହ ଚଳିତ ସିଜନ୍‌ରେ ସେ ଲଗାତାର ତ୍ରୟୋଦଶ ବିଜୟ ହାସଲ କରିଛନ୍ତି। ପାଖାପାଖି ୪ ଘଣ୍ଟା ଧରି ଚାଲିଥିବା ଏହି ମ୍ୟାଚ୍‌ରେ ଶେଷରେ ପଞ୍ଚମ ସିଡ୍ ଥିମ୍ ତାଙ୍କ ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍ ଫାଇନାଲ୍‌ରେ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଛନ୍ତି। ଜୋକୋଭିଚ୍ ତାଙ୍କର ସପ୍ତଦଶ ଗ୍ରାଣ୍ଡ୍‌ସ୍ଲାମ୍ ଟାଇଟଲ୍ ହାତେଇଛନ୍ତି। ସର୍ବାଧିକ ଗ୍ରାଣ୍ଡ୍‌ସ୍ଲାମ୍ ଟାଇଟଲ୍ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ତାଙ୍କଠାରୁ ଆଗରେ କେବଳ ସ୍ୱିଜରଲାଣ୍ଡ୍‌ର ରୋଜର୍ ଫେଡେରର୍ ୨୦ଟି ସହ ଶୀର୍ଷରେ ଓ ସ୍ପେନ୍‌ର ରାଫେଲ୍ ନାଡାଲ୍ ୧୯ଟି ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Spread the love