July 27, 2024

Satya News

odia news channel

ଇନ୍ଦୋର ଟି-୨୦ରେ ଭାରତର ବିଜୟ

ଇନ୍ଦୋର,୮/୧: ଶ୍ରୀଲଙ୍କା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚରେ ଭାରତୀୟ ବୋଲର ଓ ବ୍ୟାଟ୍‌ସମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୭ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ଏଥିସହ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିି ସିରିଜରେ ଅପରାଜେୟ ହୋଇଛି ଟିମ୍ ଇଣ୍ଡିଆ।

India won against srilanka
India won against srilanka

ଏହି ମ୍ୟାଚରେ ଘରୋଇ ଦଳର ବୋଲିଂ ଆକ୍ରମଣର ସାମ୍ନା କରିନପାରି ଶ୍ରୀଲଙ୍କା ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ଜବାବରେ ଭାରତ ୧୭.୩ ଓଭରରେ ୩ ୱିକେଟ୍ ହରାଇ ୧୪୩ ରନ୍ କରି ବିଜୟୀ ହୋଇଛି। ସୂଚନାନୁଯାୟୀ, ବିରାଟ ବାହିନୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ବ୍ୟାଟିଂ କରି ୯ଟି ଓ୍ଵିକେଟ୍‌ରେ ୧୪୨ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଶ୍ରୀଲଙ୍କା ପକ୍ଷରୁ କୁଶାଲ ପେରେରା ସର୍ବାଧିକ ୩୪ ରନ୍‌ କରିଥିବାବେଳେ ସ୍ପିନର କୁଲଦୀପ ଯାଦବଙ୍କ ବଲରେ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ସେହିପରି ଦଳର ଓପନର ଅଭିସ୍କା ଫର୍ନାଣ୍ଡୋ ୨୨ ଏବଂ ଦନୁସ୍କା ଗୁଣତିଲ ୨୦ ରନ୍‌ କରିଥିଲେ। ଧନଞ୍ଜୟ ଡି’ ସିଲଭା ୧୭ ରନ୍‌ ଓ ୱାନିନ୍ଦୁ ହରରଙ୍ଗା ୧୬ ରନ୍‌ କରିଥିଲେ। ଅନ୍ୟ ବ୍ୟାଟ୍‌ସମ୍ୟାନମାନେ ଭାରତୀୟ ବୋଲରଙ୍କୁ ସାମନା କରିବାରେ ବିଫଳ ହୋଇଥିଲେ।

India won against srilanka
India won against srilanka

ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି, ନଭଦୀପ ସଇନି ଓ କୁଲ୍‌ଦୀପ ଯାଦବଙ୍କୁ ୨ଟି ଲେଖାଏଁ ଏବଂ ୱାସିଂଟନ୍‌ ସୁନ୍ଦରଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା। ତେବେ ୧୪୩ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତୀୟ ଟିମ୍। ଭାରତ ପାଇଁ ଓପନର ଲୋକେଶ ରାହୁଲ ୩୨ଟି ବଲ ଖେଳି ୬ଟି ଚୌକା ସହ ୪୫ ରନ୍‌ କରିଥିଲେ। ଅନ୍ୟ ଓପନର ଶିଖର ଧାଓ୍ଵନ ୨୯ଟି ବଲ ଖେଳି ୨ଟି ଚୌକା ସହାୟତାରେ ୩୨ ରନ୍‌ କରିଥିଲେ। ଦଶମ ଓଭରରେ ଦଳର ସ୍କୋର ୭୧ ରନ୍‌ ଥିଲାବେଳେ ଭାରତ ପ୍ରଥମ ଓ୍ଵିକେଟ୍‌ ଭାବେ ଲୋକେଶ ରାହୁଲଙ୍କୁ ହରାଇଥିଲା। ଲୋକେଶଙ୍କ ପରେ ଶେୟସ ଆୟର ପଡ଼ିଆକୁ ଆସିଥିଲେ। ଭାରତ ଦ୍ୱିତୀୟ ଓ୍ଵିକେଟ୍‌ ଭାବେ ଶିଖର ଧାଓ୍ଵନ ଏବଂ ତୃତୀୟ ଓ୍ଵିକେଟ ଭାବେ ଶ୍ରେୟସ ଆୟରଙ୍କୁ ହରାଇଥିଲା। ଶ୍ରେୟସ ଆଉଟ ହେବାବେଳକୁ ଭାରତର ସ୍କୋର ୧୭.୧ ଓଭରରେ ୧୩୭ ରନ୍‌ରେ ପହଞ୍ଚିଥିଲା। ପରେ ଟିମ୍‌ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ୧୭ଟି ବଲ ଖେଳି ୩୦ ରନ୍‌ କରିବା ସହ ଅପରାଜିତ ରହିଥିଲେ। ଋଷବ ପନ୍ତ ଗୋଟିଏ ବଲର ସମ୍ମୁଖୀନ ହୋଇ ଅପରାଜିତ ୧ ରନ୍‌ କରିଥିଲେ। ସୂଚନାଯୋଗ୍ୟ, ଶୃଙ୍ଖଳାର ଅନ୍ତିମ ତଥା ତୃତୀୟ ମ୍ୟାଚ୍‌ ୧୦ ତାରିଖରେ ପୁନେରେ ଖେଳାଯିବ।

Spread the love