July 27, 2024

Satya News

odia news channel

ଇରାନ ଖସାଇଛି ୟୁକ୍ରେନ ବିମାନ ! ଆମେରିକା ଆଣିଲା ସାଂଘାତିକ ଅଭିଯୋଗ

ଇରାନ ଖସାଇଛି ୟୁକ୍ରେନ ବିମାନ 
ଆମେରିକା ଆଣିଲା ସାଂଘାତିକ ଅଭିଯୋଗ


ୱାଶିଂଟନ, ୯/୧: ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ୟୁକ୍ରେନର ବିମାନ କୌଣସି ଯାନ୍ତ୍ରିକ ତୃଟି ଯୋଗୁ ଖସିପଡ଼ି ନଥିଲା, ବରଂ ଇରାନ ଏହାକୁ ଭୁଲବଶତଃ ଆକ୍ରମଣ କରି ଖସାଇ ଦେଇଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ୧୭୬ ଜଣଙ୍କ ଜୀବନ ଯାଇଥିବା ଏହି ଦୁର୍ଘଟଣାକୁ ନେଇ ତନାଘନା ଜାରି ରହିଥିବାବେଳେ ଆମେରିକା ଗଣମାଧ୍ୟମରେ ପ୍ରସାରିତ ଉକ୍ତ ରିପୋର୍ଟ ଏବେ ନୂଆ ବିବାଦକୁ ଜନ୍ମ ଦେଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବା ହେଉଛି, ଇରାନ ଭୁଲରେ ୟୁକ୍ରେନ ବିମାନକୁ ମିସାଇଲ ଆକ୍ରମଣ କରି ଖସାଇଛି ।
 ସିବିଏସ ଚ୍ୟାନେଲ ଅନୁସାରେ ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ଇରାନ ମିସାଇଲ ମାଡ଼ କରି ୟୁକ୍ରେନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସର ବୋଇଙ୍ଗ ୭୩୭କୁ ଖସାଇଦେଇଛି । ଅନ୍ୟପକ୍ଷରେ ଇରାନ ଏହି ଅଭିଯୋଗକୁ ଏକ ଭିତ୍ତିହୀନ ଅପପ୍ରଚାର ବୋଲି ଅଭିହିତ କରିବା ସହ ଖଣ୍ଡନ କରିଛି । କିନ୍ତୁ ଆମେରିକାଠାରୁ ଦୁର୍ଘଟଣାର ତଦନ୍ତ ପାଇଁ ୟୁକ୍ରେନ ନିଃସର୍ତ୍ତ ସମର୍ଥନ ମାଗିଛି । ଆମେରିକା ଏହାର ତଦନ୍ତରେ ସହଯୋଗ କରୁ ବୋଲି ୟୁକ୍ରେନର ଜଣେ ମନ୍ତ୍ରୀ ଟୁଇଟ କରିଛନ୍ତି । ୟୁକ୍ରେନର ଏକ ୪୫ ଜଣିଆ ପ୍ରତିନିଧି ଦଳ ଗୁରୁବାର ତେହେରାନ ଯାଇ ମୃତଦେହଗୁଡ଼ିକୁ ଚିହ୍ନଟ କରିବା ସହ ନିଜ ଦେଶକୁ ନେବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏହି ପ୍ରତିନିଧି ଦଳରେ ଅନେକ ବିଶେଷଜ୍ଞ ଅଛନ୍ତି । ସେମାନଙ୍କ କହିବା ହେଲା, ଦୁର୍ଘଟଣାସ୍ଥଳ ନିକଟରୁ ରୁଷ ନିର୍ମିତ ଏକ ମିସାଇଲର ଖଣ୍ଡବିଖଣ୍ଡିତ ଅଂଶ ମିଳିଛି । ଆମକୁ ତଦନ୍ତ ପାଇଁ ଅନୁମତି ଦିଆଗଲେ ଏହା ପଛରେ କାହାର ହାତ ଅଛି ତାହା ଖୋଜି ବାହାର କରିବୁ । ଏହି ଆଶଙ୍କାକୁ ବଳ ଦେଉଛି ଆଉ ଗୋଟିଏ କଥା । ତାହା ହେଲା ଇରାନ ଯେତେବେଳେ ଇରାକସ୍ଥିତ ଆମେରିକା ସେନା ଶିବିରକୁ ମିସାଇଲ ମାଡ଼ କରିଥିଲା, ତା’ର କିଛି ସମୟ ପରେ ହିଁ ୟୁକ୍ରେନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ପ୍ରକୃତରେ ବିମାନ ଯାନ୍ତ୍ରିକ ତୃଟି କାରଣରୁ ଆପେ ଆପେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ନା ଏହା ପଛରେ ଇରାନର ହାତ ଅଛି ଉପଯୁକ୍ତ ତଦନ୍ତ କରାଗଲେ ସତ ଜଣାପଡ଼ିବ ।

Spread the love