July 27, 2024

Satya News

odia news channel

ଟ୍ରମ୍ପ ପଛଘୁଂଚା ଦେଲେ କାହିଁକି

ଟ୍ରମ୍ପ ପଛଘୁଂଚା ଦେଲେ କାହିଁକି,
ଆମେରିକା ସେନାକୁ କେମିତି ମିସାଇଲ ମାଡ଼ କଲା ଇରାନ ଯେ କେହି ଜଣେ ହେଲେ ମଲେନି ? ଏହା ଏକ ବଡ଼ ପ୍ରଶ୍ନ ।


ତେହେରାନ/ୱାଶିଂଟନ, ୯/୧: ଇାରାନର ସୁରକ୍ଷା କବଚ, ସବୁଠୁ ଶକ୍ତିଶାଳୀ ସେନାପତି, କୁଦସ ଫୋର୍ସର ମୁଖିଆ, ଦେଶର ଦ୍ୱିତୀୟ ପ୍ରଭାବଶାଳୀ ବ୍ୟକ୍ତିତ୍ୱ । ଏଭଳି ଅନେକ ସୁନାମର ଅଧିକାରୀ ଥିଲେ ଜେନେରାଲ କାସିମ ସୁଲେମାନୀ । ମଧ୍ୟପ୍ରାଚ୍ୟରେ ଇରାନର ଏଜେଣ୍ଡାକୁ କାର୍ଯ୍ୟକାରୀ କରାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ ଦେଇଥିବା ଏହି ଯୋଦ୍ଧା ଆଉ ନାହାନ୍ତି, ସତ କିନ୍ତୁ ତାଙ୍କ ଅବର୍ତ୍ତମାନରେ ଇରାନ ସତେ ଯେମିତି ଆହୁରି ବଳୀୟାନ ହୋଇଯାଇଛି । ଯେଉଁଠି ପାରିବ ଆମେରିକାକୁ ମାରିବ ଓ ଟ୍ରମ୍ପଙ୍କ ଘମଣ୍ଡକୁ ଚୂର୍ଣ୍ଣ କରିବ । ଏପରି ପଣ କରିଥିବା ପଶ୍ଚିମ ଏସିଆର ତୈଳ ସମ୍ପଦଭରା ଏହି ଇସଲାମିକ ରାଷ୍ଟ୍ର ମଙ୍ଗଳବାର ମଧ୍ୟରାତ୍ରିରେ ନେଇଥିଲା ଦୁଃସାହସିକ ପଦକ୍ଷେପ । ଇରାକସ୍ଥିତ ଅଲ୍-ଅସାଦ ଏବଂ ଏରବିଲ ସେନାଘାଟିରେ ତୁହାକୁ ତୁହା ୨୨ଟି ବାଲିଷ୍ଟିକ ମିସାଇଲ (ଭୂପୃଷ୍ଠରୁ ଭୂପୃଷ୍ଠକୁ ଆକ୍ରମଣ କରିପାରୁଥିବା ଫତେହ-୩୧୩) ମାଡ଼ କରି ନେଇଥିଲା ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ । ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଖୋମିନୀ ଏହାକୁ ଆମେରିକା ମୁହଁରେ ଏକ ଶକ୍ତ ଚାପୁଡ଼ା ବୋଲି ଅଭିହିତ କରଛନ୍ତି । ଏହି ଅତର୍କିତ ଆକ୍ରମଣରେ ୮୦ ଆମେରିକୀୟ ସୈନ୍ୟ ନିହତ ହୋଇଥିବା ଇରାନ ଦାବି କରୁଥିବାବେଳେ ଟ୍ରମ୍ପ ଏହାକୁ ମିଛ ବୋଲି ଖଣ୍ଡନ କରିଛନ୍ତି । ଟ୍ରମ୍ପଙ୍କ ମତରେ କେହି ଜଣେ ହେଲେ ଆମେରିକୀୟ ସୈନ୍ୟ ଏଥିରେ ମୃତାହତ ହୋଇନାହାନ୍ତି । ସମସ୍ତେ ସୁରକ୍ଷିତ ଅଛନ୍ତି । ସେନା ଶିବିରକୁ ମାମୁଲି କ୍ଷତି ସହିବାକୁ ପଡ଼ିଛି । ଏଠାରେ ପ୍ରଶ୍ନ ଉଠୁଛି କିଏ ସତ କହୁଛି ଆଉ କିଏ ମିଛ ପ୍ରଚାର କରି ନିଜକୁ ବଳୀୟାନ ପ୍ରତିପାଦିତ କରିବାର ପ୍ରୟାସ ଚଳାଇଛି । ଟ୍ରମ୍ପ ନା ଖୋମିନୀ କାହା କଥାକୁ ବିଶ୍ୱାସ କରିବା ।


ଜେନେରାଲ ସୁଲେମାନୀଙ୍କୁ ଆମେରିକା ସୈନ୍ୟ ଜାନୁୟାରୀ ୩ ରାତି ୧ଟା ୨୦ ମିନିଟରେ ଇରାକ ରାଜଧାନୀ ବାଗଦାଦ ବିମାନବନ୍ଦରରେ ରକେଟ ମାଡ଼ କରି ହତ୍ୟା କରିଥିଲେ । ସୁଲେମାନୀ ଓ ତାଙ୍କ ସହ ନିହତ ହୋଇଥିବା ସେନାର ଅନ୍ୟ ଅଧିକାରୀମାନଙ୍କ ପାର୍ଥିବ ଶରୀରକୁ ନେଇ ଇରାନ ଯେପରି ଭାବେ ଶୋଭାଯାତ୍ରା କରାଇଲା ପୂର୍ବରୁ ସେପରି କେବେ ଦେଖିବାକୁ ମିଳି ନଥିଲା । ପୂର୍ବରୁ କେବେ କୌଣସି ନେତା ବା ସେନା ଅଧିକାରୀଙ୍କ ମୃତ ୁ୍ୟ ପରେ ଶେଷ ଶୋଭାଯାତ୍ରାରେ ଏତେ ସଂଖ୍ୟକ ଲୋକ ଏକତ୍ରିତ ହୋଇ ନଥିଲେ । ସ୍ଥିତି ଏପରି ହେଲା ଯେ ଶୋଭାଯାତ୍ରରେ ଦଳାଚକଟା ବେଳେ ୫୦ରୁ ଅଧିକ ଲୋକଙ୍କ ମୃତ ୁ୍ୟ ବି ଘଟିଲା । ଶେଷରେ ଜାନୁୟାରୀ ୮ରେ ସୁଲେମାନୀଙ୍କୁ ସମାଧି ଦିଆଗଲା । ଶେଷକୃତ୍ୟ ସମ୍ପନ୍ନ ହେବା ପରେ ହିଁ ଆମେରିକା ଗାଲରେ ଚାପୁଡ଼ା ମାରିଲା ଇରାନ । ମିସାଇଲ ଆକ୍ରମଣ ବେଳର ସମୟ ବି ସମାନ ଥିଲା । ଇରାନ ମିସାଇଲ ଛାଡ଼ିବା ଆରମ୍ଭ କରିଥିଲା ସେହି ରାତି ୧ଟା ୨୦ ମିନିଟରେ । ଅର୍ଥାତ ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ତାଙ୍କର ଶବ ସକ୍ରାର କରିବ ନାହିଁ । ଇରାନ ଏମିତି ପ୍ରତିଜ୍ଞା କରିଥିଲା ବୋଲି ଏଥିରୁ ସ୍ପଷ୍ଟ ବୁଝି ହେଉଛି । ଏହା ପୂର୍ବରୁ ଇରାନ କୋମର ଜାମକରନ ମସଜିଦ ଉପରେ ଲାଲ ପତାକା ଉଡ଼ାଇ ଯୁଦ୍ଧର ସଙ୍କେତ ମଧ୍ୟ ଦେଇଥିଲା । ଆମେରିକାକୁ ସୁଲେମାନୀଙ୍କ ହତ୍ୟାର ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଧମକ ଦେଇଥିଲା । ଇରାନର ଏହି ଉଗ୍ର ଚେତବାନୀ ସତ୍ତ୍ୱେ ଆମେରିକାର କୌଣସି ସୈନିକଙ୍କ ମୃତ ୁ୍ୟ ହୋଇନି, ଯାହାକି ଟ୍ରମ୍ପ ଦାବି କରୁଛନ୍ତି । ମିଡିଲବରି ଇନଷ୍ଟିଚ ୁ୍ୟଟ ଅଫ ସୋସିଆଲ ଷ୍ଟଡିଜର ବ୍ୟବସାୟିକ କମ୍ପାନୀ ପ୍ଲାନେଟ ଲ୍ୟାବ ପକ୍ଷରୁ ଉପଗ୍ରହ ଜରିଆରେ ଉତ୍ତୋଳିତ ଫଟୋରେ ମଧ୍ୟ ଅଲ-ଅସାଦ ଏୟାରବେସର ୫ଟି ଢାଞ୍ଚା ଧ୍ୱସ୍ତ ହୋଇଛି । କିନ୍ତୁ ଏୟାରବେସର ଅଧିକ କ୍ଷୟକ୍ଷତି ହୋଇନାହିଁ । ତେବେ ଇରାନ କ’ଣ ଜାଣିଶୁଣି ଏପରି ଢଙ୍ଗରେ ଆକ୍ରମଣ କରିଛି, ଯେମିତି କି କେହି ମରିବେ ନାହିଁ? ଏଭଳି ପ୍ରଶ୍ନ ଉଠିବା ଅସ୍ୱାଭାବିକ ନୁହେଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମିସାଇଲ ହିତାନ ଗ୍ରାମ ପାଖରେ ପଡ଼ିଥିଲା ଏବଂ ବିସ୍ଫୋରଣ ହୋଇ ନଥିଲା । ଇତିମଧ୍ୟରେ ମିସାଇଲର ଭଗ୍ନାବଶେଷ ବୋଲି ଦାବି କରାଯାଉଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରକ୍ତପାତ ହୋଇ ନଥିବା ଏଭଳି ଆକ୍ରମଣର ଉଦେ୍ଦଶ୍ୟକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଆମେରିକାକୁ ସର୍ବନିମ୍ନ କ୍ଷତି ପହଞ୍ଚାଇବା ପଛର କାରଣ ହେଉଛି ଇରାନ ଚାହୁଁନାହିଁ ଯେ ଉପୁଜିଥିବା ସଙ୍କଟର ନିୟନ୍ତ୍ରଣ ତା’ ହାତରୁ ବାହାରକୁ ଚାଲି ନଯାଉ । ‘ୱାଶିଂଟନ ପୋଷ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆମେରିକାର ଅଧିକାରୀମାନେ ମଙ୍ଗଳବାର ଅପରାହ୍ନରେ ହିଁ ଇରାନର ଏପରି ଉଦେ୍ଦଶ୍ୟ ସମ୍ପର୍କରେ ଗୋଇନ୍ଦା ସୂତ୍ରରୁ ଜାଣିବାକୁ ପାଇଥିଲେ । ହେଲେ ଇରାନ କେଉଁ ଶିବିରକୁ ଟାର୍ଗେଟ କରିବ ତାହା ସେମାନଙ୍କୁ ଜଣା ନଥିଲା । ଅନ୍ୟପକ୍ଷରେ ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଆମେରିକାକୁ କିଛି ଘଣ୍ଟା ପୂର୍ବରୁ ଇରାନର ଚେତାବନୀ ମିଳିଥିଲା, ଯାହା ଫଳରେ ସେନାଘାଟିରୁ ବଙ୍କରକୁ ସୈନ୍ୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆମେରିକାକୁ ଢେର ସମୟ ମିଳିଗଲା । ସେହିପରି ରାଷ୍ଟ୍ରପତି ଟ୍ରମ୍ପ ପୁଣିଥରେ ହ୍ୱାଇଟ ହାଉସରେ ରହିବା ପାଇଁ ପ୍ରୟାସ ଓ ପ୍ରସ୍ତୁତି ଚଳାଇଛନ୍ତି । ଆସନ୍ତା ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ତେଣୁ ଟ୍ରମ୍ପ ଚାହୁଁ ନାହାନ୍ତି ଯେ ନିର୍ବାଚନୀ ବର୍ଷରେ ସ୍ଥିତି ଅଣାୟ ହେଉ । ପ୍ରସଙ୍ଗ ହାତ ବାହାରକୁ ଚାଲିଗଲେ ତାକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ । ଏଭଳି ସମୟରେ ଅତରିକ୍ତ କଟକଣା ଜାରି କରିବା ସହ ଇରାନକୁ ଆର୍ଥିକ ଅଙ୍କୁଶର ଭୟ ଦେଖାଇ ଶାନ୍ତିର ପାଠ ପଢ଼ାଇବା ଟ୍ରମ୍ପ ପ୍ରଶାସନର ଏକ ସୁପରିକଳ୍ପିତ ରଣନୀତି ବୋଲି କୁହାଯାଉଛି । କାରଣ ଏହା ପୂର୍ବରୁ ଇରାନର ୫୨ଟି ସ୍ଥାନ ଚିହ୍ନଟ କରିଛୁ । ଆମକୁ ଟାର୍ଗେଟ କଲେ ଆମେ ସେହି ୫୨ ସ୍ଥାନରେ ଆକ୍ରମଣ କରିବୁ ବୋଲି ଟ୍ରମ୍ପ ଚେତାବନୀ ଦେଇଥିଲେ । ଏହା ସତ୍ତ୍ୱେ ଭୋଟରେ ହାରିଯିବା ଭୟରେ ଟ୍ରମ୍ପ ଯୁଦ୍ଧ ଚାହୁଁ ନ ଥିବା ଅନେକ ବିଶ୍ଳେଷକ ମତ ଦିଅନ୍ତି ।

Spread the love