July 27, 2024

Satya News

odia news channel

ଆମେରିକା ସେନା ଶିବିରକୁ ଟାର୍ଗେଟ, ମିସାଇଲ ମାଡ଼ କଲା ଇରାନ

ଆମେରିକା ସେନା ଶିବିରକୁ ଟାର୍ଗେଟ, ମିସାଇଲ ମାଡ଼ କଲା ଇରାନ
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ ଅଲ୍ ଇଜ ୱେଲ
ଇରାକ ନଯିବାକୁ ନାଗରିକଙ୍କୁ ଭାରତର ପରାମର୍ଶ

 

ତେହେରାନ/ୱାଶିଂଟନ, ୮/୧: ସେନା କମାଣ୍ଡର କାସିମ ସୁଲେମାନୀଙ୍କୁ ହରାଇ ମର୍ମାହତ ଇରାନ ବୁଧବାର ଆମେରିକା ଉପରେ ପ୍ରତିଶୋଧ ନେଇଛି । ଇରାକ ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୁଇଟି ସେନା ଶିବିରକୁ ଟାର୍ଗେଟ କରିଛି । ଦୁଇଟି ଏୟାରବେସ ଉପରେ ଘନଘନ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି ଏହି ପଶ୍ଚିମ ଏସୀୟ ରାଷ୍ଟ୍ର । ଏଥିରେ ଆମେରିକାର ୮୦ରୁ ଅଧିକ ସୈନ୍ୟ (ତେହେରାନ ଭାଷାରେ ସେମାନେ ଆତଙ୍କବାଦୀ) ନିହତ ହୋଇଥିବା ଇରାନର ସରକାରୀ ଟିଭି ଚ୍ୟାନେଲରେ ଦାବି କରାଯାଇଛି । ଆମେରିକା ପ୍ରତିଶୋଧପରାୟଣ ହୋଇ ଆକ୍ରମଣ କଲେ ଆହୁରି ୧୦୦ ସ୍ଥାନରେ କ୍ଷେପଣାସ୍ତ୍ର ମାଡ଼ କରିବୁ ବୋଲି କୁହାଯାଇଛି । ତେବେ ମୃତାହତଙ୍କ ସଂଖ୍ୟାକୁ ନେଇ ଆମେରିକା କିଛି ସ୍ପଷ୍ଟ କରିନାହିଁ । ପେଣ୍ଟାଗନ ପ୍ରବକ୍ତା ଜୋନାଥନ ହୋଫମ୍ୟାନ ଇରାନର ମିସାଇଲ ଆକ୍ରମଣକୁ ନେଇ କହିଛନ୍ତି ଯେ ବୁଧବାର ସକାଳେ ଆମେରିକୀୟ ସୈନ୍ୟ ଓ ଏହାର ସହଯୋଗୀ ବଳ ରହୁଥିବା ଶିବିର ଉପରେ ଇରାନ ଏକ ଡଜନରୁ ଅଧିକ ମିସାଇଲ ମାଡ଼ କରିଛି । ଆମେ ଯୁଦ୍ଧରେ ହୋଇଥିବା କ୍ଷତିର ପ୍ରଥମିକ ଆକଳନ କରୁଛୁ । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅବଗତ କରାଯାଇଛି । ଟ୍ରମ୍ପ ନିଜ ପ୍ରତିକ୍ରିୟାରେ ‘ଅଲ ଇଜ ୱେଲ’ ବୋଲି ଟୁଇଟ କରିଛନ୍ତି ।
ଅନ୍ୟପକ୍ଷେ ଆମେରିକା-ଇରାନ ମୁହାଁମୁହିଁ ହୋଇଥିବାବେଳେ କୌଣସି ଭାରତୀୟ ଇରାକ ଯାତ୍ରା କରନ୍ତୁ ନାହିଁ ବୋଲି ନୂଆଦିଲ୍ଲୀ ଆଡଭାଇଜରି ଜାରି କରିଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁସାରେ ଇରାକରେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ପରବର୍ତ୍ତୀ ଅଧିସୂଚନା ପର୍ଯ୍ୟନ୍ତ ଜରୁରୀ ନ ଥିଲେ ଇରାକ ଗସ୍ତ କରନ୍ତୁ ନାହିଁ । ଇରାକରେ ରହୁଥିବା ଭାରତୀୟଙ୍କୁ ମଧ୍ୟ ସେଠାରେ ଯାତ୍ରା ନ କରିବାକୁ କୁହାଯାଇଛି ।

Spread the love