July 27, 2024

Satya News

odia news channel

ଖସିପଡ଼ିଲା ବିମାନ, ଜଳିଗଲେ ୧୮୦ ଯାତ୍ରୀ

ଖସିପଡ଼ିଲା ବିମାନ, ଜଳିଗଲେ ୧୮୦ ଯାତ୍ରୀ

ତେହେରାନ,୮/୧: ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ଇରାନ ରାଜଧାନୀ ତେହେରାନ ନିକଟରେ ବୁଧବାର ଖସିପଡ଼ିଛି । ଏଥିରେ ୧୮୦ ଜଣ ଥିଲେ । ବିମାନଟି ଇମାମ ଖୋମେନି ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରୁ ୟୁକ୍ରେନ ରାଜଧାନୀ କିଭ୍ ଅଭିମୁଖେ ଯାତ୍ରା କରୁଥିଲା ।
ୟୁକ୍ରେନ ଏୟାରଲାଇନ୍ସର ବୋଇଙ୍ଗ ୭୩୭-୮୦୦ ଉଡ଼ାଣ କରିବାର କିଛି ସମୟ ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇରାନର ସରକାରୀ ସମାଚାର ଏଜେନ୍ସି ଆଇଏସଏନଏ ପକ୍ଷରୁ କୁହାଯାଇଛି । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯିବାରୁ ଜଳିଯାଇ ସମସ୍ତ ୧୮୦ ଯାତ୍ରୀଙ୍କ ମୃତୁ୍ୟ ଘଟିଛି । କେହି ଜଣେ ହେଲେ ଜୀବିତ ଥିବା ଆଶା କରାଯାଉ ନାହିଁ ବୋଲି ଇରାନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଉଦ୍ଧାରକାରୀ ଦଳଙ୍କୁ ଦୁର୍ଘଟଣାସ୍ଥଳକୁ ପଠାଯାଇଛି । ଆମେରିକାର ରକେଟ ମାଡ଼ରେ ଇରାନ ସେନାର ଜେନେରାଲ କାସିମ ସୁଲେମାନୀ ନିହତ ହେବାର ସପ୍ତାହେ ନ ପୂରୁଣୁ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁଲେମାନୀଙ୍କ ହତ୍ୟା ପରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଂଚିଥିବାବେଳେ ଉପସାଗରୀୟ କ୍ଷେତ୍ରରେ ଯୁଦ୍ଧର କଳା ବାଦଲ ଛାଇହୋଇ ରହିଛି । ଇରାନରେ ଆମେରିକାଠାରୁ ପ୍ରତିଶୋଧ ନେବା ପାଇଁ ଦାବି ବଢ଼ିବାରେ ଲାଗିଛି । ଏଭଳି ସମୟରେ ବୁଧବାର ଇରାକସ୍ଥିତ ଆମେରିକାର ଦୁଇଟି ସେନା ଶିବିରକୁ ଇରାନ ଟାର୍ଗେଟ କରିଛି ।

Spread the love