July 27, 2024

Satya News

odia news channel

୨୨ରେ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ

ନୂଆଦିଲ୍ଲୀ,୭/୧: ବହୁ ଚର୍ଚ୍ଚିତ ନିର୍ଭୟା କାଣ୍ଡର ଦୋଷୀମାନଙ୍କୁ ଜାନୁଆରୀ ୨୨ ତାରିଖରେ ଫାଶୀ ଦିଆଯିବ। ମାମଲାର ୪ଜଣ ଦୋଷୀଙ୍କୁୁ ୨୨ ତାରିଖ ସକାଳ ୭ଟା ସମୟରେ ଫାଶୀଦେବା ପାଇଁ ମଙ୍ଗଳବାର ଦିଲ୍ଲୀର ପତିଆଲା ହାଉସ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏଥିସହ ଭାରତୀୟ ଦଣ୍ଡ ସଂହିତାର ଧାରା ୪୧୫ ଅନୁସାରେ ଅଦାଲତ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ଫାଶୀ ପାଇବାକୁ ଥିବା ୪ ଦୋଷୀ ହେଉଛନ୍ତି ଅକ୍ଷୟ ସିଂହ ଠାକୁର, ମୁକେଶ, ପୱନ ଗୁପ୍ତା ଏବଂ ବିନୟ ଶର୍ମା। ସୂଚନାଯୋଗ୍ୟ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ୬ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିବା ସହ ଅମାନୁଷିକ ନିର୍ଯାତନା ଦେଇ ଗୁରୁତର ଅବସ୍ଥାରେ ଚଳନ୍ତା ବସରୁ ଫିଙ୍ଗି ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରସ୍ଥିତ ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ସବୁଦିନ ପାଇଁ ଆଖି ବୁଜିଥିଲେ ନିର୍ଭୟା। ତେବେ ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିବାବେଳେ ଆଉ ଜଣେ ନାବାଳକ ହୋଇଥିବାରୁ ତାକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ୨୦୧୩ ମସିହା ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍‌ କୋର୍ଟ ବାକି ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ୨୦୧୭ ମସିହା ମେ’ ୫ ତାରିଖରେ ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ। ତେବେ ଗତମାସରେ ହିଁ ଅକ୍ଷୟ ସିଂହ ଦ୍ୱାରା ଆଗତ ଶେଷ ରିଭ୍ୟୁ ପିଟିସନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଥିଲେ। ନିର୍ଭୟାଙ୍କ ପିତାମାତା ନିମ୍ନ ଅଦାଲତରେ ଡେଥ ୱାରେଣ୍ଟ ପାଇଁ ଆବେଦନ କରିଥିଲାବେଳେ ଏହାର ଶୁଣାଣି ପାଇଁ କୋର୍ଟ ଆଜି ଦିନକୁ ଧାର୍ଯ୍ୟ କରିଥିଲେ। ଆଜି କୋର୍ଟ ଫାଶୀ ତାରିଖ ଘୋଷଣା କରିବା ସହ ୪ ନିର୍ଭୟା ଦୋଷୀ ଫାଶୀଖୁଣ୍ଟରେ ଝୁଲିବା ନିଶ୍ଚିତ ହୋଇଛି। ଅପରପକ୍ଷରେ ଏହି ୪ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ପାଇଁ ତିିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛି।

Spread the love