September 8, 2024

Satya News

odia news channel

ଚୀନ୍‌ରେ ‘କୋଭିଡ-୧୯’ ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାର: ମୃତ୍ୟୁସଂଖ୍ୟା ୧୩୬୭କୁ ବୃଦ୍ଧି

ବେଜିଂ,୧୪/୨: ବିଶ୍ୱର ଆତଙ୍କ ଖେଳାଇ ଦେଇଥିବା ‘କୋଭିଡ-୧୯’ ବା କରୋନା ଭାଇରସ୍‌ର ସଂକ୍ରମଣ ବ୍ୟାପିବାରେ ଲାଗିଛି। ଚୀନ୍‌ରେ ନ୍ୟୁ କରୋନା ନିମୋନିଆ ପୀଡ଼ିତଙ୍କ ସଂଖ୍ୟା ୫୯, ୮୦୪ରେ ପହଞ୍ଚିଛି। ଗୁରୁବାର ଚୀନ୍‌ରେ ଗୋଟିଏ ଦିନରେ ସେଠାରେ ୧୫,୧୫୨ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଇତିମଧ୍ୟରେ ମୃତକଙ୍କ ସଂଖ୍ୟା ୧୩୬୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଚୀନ୍ ଡାକ୍ତରଖାନାରୁ ୫,୯୧୧ କରୋନା ପୀଡ଼ିତ ସୁସ୍ଥହୋଇ ଘରକୁ ଫେରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଚୀନ୍ ସ୍ୱାସ୍ଥ୍ୟ କମିଶନ ପ୍ରବକ୍ତା ମି ଫେଙ୍ଗ୍‌ଙ୍କ ମତରେ କରୋନା ସଂକ୍ରମଣ ଦେଖାଯିବା ମାତ୍ରେ ରୋଗୀ ଡାକ୍ତରଖାନାକୁ ଆସିଲେ ଆରୋଗ୍ୟ ଲାଭ କରିବାର ସମ୍ଭାବନା ରହିଛି। କିନ୍ତୁ ଗ୍ରାମାଞ୍ଚଳରୁ ଆସୁଥିବା ଅଧିକାଂଶ ରୋଗୀ ଅନ୍ତିମ ପର୍ଯ୍ୟାୟରେ ଡାକ୍ତରଖାନାକୁ ଆସୁଥିବାରୁ ସେମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇଯାଇଛି। ଚୀନ୍ ବାହାରେ ସର୍ବାଧିକ କରୋନା ପୀଡ଼ିତଙ୍କ ସଂଖ୍ୟା ଡାଇମଣ୍ଡ ପ୍ରିନ୍‌ସେସ୍ ଜାହାଜରେ ଦେଖିବାକୁ ମିଳିଛି। ଏହି ଜାହାଜରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୧୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଇତିମଧ୍ୟରେ ବ୍ୟାଙ୍କକ୍‌ରୁ ଫେରିଥିବା ୨ ଜଣ ଭାରତୀୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ୨ ଭାରତୀୟ ବ୍ୟାଙ୍କକ୍‌ରୁ ଆସି କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ସେମାନେ ହିମାଦ୍ରି ବର୍ମନ୍ ଓ ନଗେନ୍ଦ୍ର ସିଂହ ବୋଲି ଏୟାରପୋର୍ଟର ନିର୍ଦ୍ଦେଶକ କୌଶିକ ଭଟ୍ଟାଚାର୍ଯ୍ୟ କହିଛନ୍ତି। ଦୁହିଁଙ୍କୁ ବେଲିଆଘାଟ ଆଇଡି ହସ୍ପିଟାଲକୁ ପଠାଇ ଦିଆଯାଇଛି।

Spread the love