July 27, 2024

Satya News

odia news channel

କାର୍ଯ୍ୟକାରିଣୀରେ ଓଡ଼ିଆ କାର୍ଡ଼ ଖେଳିଲେ ନବୀନ, କହିଲେ- ଓଡ଼ିଶାର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ବିଜେଡି ହିଁ ଲଢ଼େଇ କରୁଛି, ରାଜ୍ୟବାସୀ ହିଁ ବିଜୁ ଜନତା ଦଳର ବସ୍

 

ଭୁବନେଶ୍ଵର : ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଓଡ଼ିଆ କାର୍ଡ଼ ଖେଳିଲେ ନବୀନ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇ ଉଭୟ ବିଜେପି ଓ କଂଗ୍ରେସକୁ କଲେ ଟାର୍ଗେଟ୍ । କହିଲେ ଓଡ଼ିଶା ଅନନ୍ୟ ପରିଚୟର ସୁରକ୍ଷା ପାଇଁ ବିଜେଡି ହିଁ ଲଢ଼େଇ କରୁଛି । ଓଡ଼ିଶାର ଭାଷା, ସଂସ୍କୃତି ଆମ ପାଇଁ ବଡ଼ । ଜାତୀୟ ଦଳଗୁଡ଼ିକ ପାଇଁ ଏହାର ମୂଲ୍ୟ କିଛି ନାହିଁ । ସେମାନଙ୍କ ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା ଓ କ୍ଷମତା ଦଖଲ କରିବା । ନବୀନଙ୍କ ଏଭଳି ଟାର୍ଗେଟକୁ କାଉଣ୍ଟର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

କେନ୍ଦ୍ର ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରି ବିଜେଡି ସୁପ୍ରିମୋ କହିଛନ୍ତି,  ଜାତୀୟ ଦଳଗୁଡ଼ିକର ମୁଖ୍ୟ ଫୋକସ ହେଲା ହିନ୍ଦୀ । କିନ୍ତୁ ଓଡ଼ିଶାର ଭାଷା, ସଂସ୍କୃତି ଆମ ପାଇଁ ବଡ଼। ଜାତୀୟ ଦଳଗୁଡ଼ିକ ପାଇଁ ଏହାର ମୂଲ୍ୟ କିଛି ନାହିଁ । ସେମାନଙ୍କ ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା ଓ କ୍ଷମତା ଦଖଲ କରିବା । ଆଉ ସେସବୁ ଦଳର ରାଜ୍ୟ ନେତାଙ୍କ ଲକ୍ଷ୍ୟ ହେଲା ଜାତୀୟ ନେତାଙ୍କୁ ଖୁସି କରି ପଦବୀ ହାସଲ କରିବା । ହେଲେ ଆଞ୍ଚଳିକ ଦଳ ହସାବରେ ବିଜେଡି ହିଁ ରାଜ୍ୟବାସୀଙ୍କ ସ୍ବାର୍ଥ ପୂରଣ କରିପାରିବ। ଏଠି ରାଜ୍ୟରେ ବିଜେପି ଓ କଂଗ୍ରେସ ଦିଲ୍ଲୀ ରିମୋଟ କଣ୍ଟ୍ରୋଲରେ ଚାଲୁଛି । ହେଲେ ବିଜେଡିର ଦିଲ୍ଲୀରେ କେହି ବସ୍ ନାହାନ୍ତି । ଏଠି ଓଡ଼ିଶାବାସୀ ହିଁ ବିଜୁ ଜନତା ଦଳର ବସ୍ । ଓଡ଼ିଶାର ଅନନ୍ୟ ପରଚୟର ସୁରକ୍ଷା ପାଇଁ ସଦାସର୍ବଦା ଲଢ଼େଇ କରି ଆସୁଛି ବିଜେଡି । ବିଜେଡି ହିଁ  ରାଜ୍ୟ ଯୁବ ସମାଜର ଆଶା, ଅଭିଳାଷ ତଥା ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ  କରିବ ବୋଲି କହିଛନ୍ତି ନବୀନ।

ସେହିଭଳି ପୌର ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କଥା ଉଠାଇ କେନ୍ଦ୍ରକୁ ଘେରିଛନ୍ତି ନବୀନ । ନିର୍ବାଚନ ବେଳେ ଉଭୟ ବିଜେପି ଓ କଂଗ୍ରେସ ଇସ୍ତାହାରରେ ସ୍ବତନ୍ତ୍ର ପାହ୍ୟା କଥା କହିଥିଲେ । ହେଲେ ନିର୍ବାଚନ ପରେ ସବୁ କଥା ଭୁଲି ଯାଇଛନ୍ତି । ତେବେ ସାଧାରଣ ନିର୍ବାଚନର ଦେଢ଼ବର୍ଷ ପରେ କେନ୍ଦ୍ରର ବିଜେପି ସରକାର ଓ କଂଗ୍ରେସକୁ ନବୀନଙ୍କ ଏଭଳି ଟାର୍ଗେଟ୍ ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । ବିଜେପି କହିଛି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ମୋଦି ସରକାର ଓଡ଼ିଶାକୁ ଅଧିକ ଫୋକସ କରିଛନ୍ତି । ସେହିଭଳି ବିଜେଡି ସୁପ୍ରିମୋଙ୍କ କଥାକୁ କାଉଣ୍ଟର କରିଛି କଂଗ୍ରେସ।

ବିଜେଡି ସହ ସମ୍ପର୍କକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଅନେକ ସମୟରେ ପରସ୍ପରକୁ ଟାର୍ଗେଟ୍ କରୁଥିବା ବେଳେ ଉଭୟ ଦଳଠାରୁ ସମଦୂରତା କଥା କହୁଥିବା ନବୀନ ଆଜିର ଭାଷଣରେ ଏହାକୁ ପୁଣି ଥରେ ସ୍ପଷ୍ଟ କରିବାକୁ ଚାହିଁଛନ୍ତି । କେନ୍ଦ୍ର ଅବହେଳା ଓ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇବା ହିଁ ଏହାର ଉଦାହରଣ ହୋଇପାରେ । ଆଗକୁ ପୌର ନିର୍ବାଚନ ଓ ପରେ ପରେ ପଞ୍ଚାୟତ ନିର୍ବାଚନକୁ ନେଇ ନବୀନ ଏଭଳି ଓଡ଼ିଆ କାର୍ଡ଼ ଖେଳିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

Spread the love