March 21, 2025

୨ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାରେ ଦଣ୍ଡିତ ହେଲେ ଆରଟିଓ

ବରଗଡ଼,୨/୧: ୨ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାରେ ଦଣ୍ଡିତ ହେଲେ ଆରଟିଓ। ବସଷ୍ଟାଣ୍ଡରେ ମହିଳାଙ୍କ ପାଇଁ ଶୌଚାଳୟ ନଥିବା ଶୁଣି ମହାରାଜ କଂସ ପରିବହନ ଅଧିକାରୀଙ୍କୁ ଏହି ଦଣ୍ଡାଦେଶ କରିଛନ୍ତି। ସୂଚନାନୁଯାୟୀ, ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ଼ ସହର। ବୁଧବାର ଦ୍ୱିତୀୟ ଦିନର ରଙ୍ଗମହଲ ଉଦ୍‌ଘାଟନ ହୋଇଥିବାବେଳେ ମଥୁରା କାରାଗାରରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ନେଇଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଯାୟୀ ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ଗୋପପୁରକୁ ଯିବେ। ତେଣୁ ଗୋପପୁର ସାଜିଥିବା ଅମ୍ୱାପାଲିରେ ତତ୍ପରତା ପ୍ରକାଶ ପାଇଛି। ଅପରପକ୍ଷରେ ମହାରାଜା କଂସଙ୍କ ରାଜୁତିରେ ମଥୁରା ନଗରୀ ଥରହର ହେଉଛି। ମହାରାଜା କଂସ ବୁଧବାର ନଗର ଭ୍ରମଣବେଳେ ବସ୍‌ଷ୍ଟାଣ୍ଡ ଓ ମୋ ବସ୍‌ ଚଳାଚଳର ତଦାରଖ କରିବା ସହ ମୋ ବସ୍‌ ଭିତରକୁ ଯାଇ ଯାତ୍ରୀଙ୍କଠାରୁ ସେମାନଙ୍କର ସୁବିଧା ଓ ଅସୁବିଧା ବାବଦରେ ଶୁଣିଥିଲେ। ଏହି ଅବସରରେ ବସଷ୍ଟାଣ୍ଡରେ ମହିଳାଙ୍କ ପାଇଁ ଶୌଚାଳୟ ନଥିବା ଶୁଣିବା ପରେ ସେ ବିରକ୍ତି ପ୍ରକାଶ କରିଥିଲେ। ଏଥିସହ ପରିବହନ ଅଧିକାରୀଙ୍କୁ ୨ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାରେ ଦଣ୍ଡିତ କରିଥିଲେ। ଏହାସହ ତୁରନ୍ତ ଶୌଚାଳୟ ଓ ବିଶ୍ରାମାଗାର ନିର୍ମାଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

Spread the love