February 15, 2025

ମହାରାଷ୍ଟ୍ର ବିଜେପିରେ ବଢୁଛି ଦଳୀୟ କନ୍ଦଳ, ପଙ୍କଜା ମୁଣ୍ଡେ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର

 

ମୁମ୍ବାଇ : ଭାରତୀୟ ଜନତା ପାର୍ଟି(ବିଜେପି)ର ମହାରାଷ୍ଟ୍ର ଶାଖାରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପାର୍ଟିରେ ଏବେ ଦଳୀୟ କନ୍ଦଳ ବଢୁଥିବା ମଧ୍ୟ ନଜର ଆସୁଛି। ଦଳରୁ ଆଉ ଏକ ବଡ ଚେହେରା ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏକନାଥ ଖଡସେ ନିଜର ସମର୍ଥକଙ୍କ ସହିତ ଏନସିପିରେ ସାମିଲ ହୋଇଥିଲେ। ଏବେ ଅନୁମାନ କରାଯାଉଛି ଯେ, ବିଜେପି ଯୁବା ମୋର୍ଚ୍ଚାର ପୂର୍ବତନ ସଭାପତି ତଥା ଦିବଗନ୍ତ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ  ପାର୍ଟି ଛାଡି ପାରନ୍ତି।

ବିଜେପି ରାଷ୍ଟ୍ରୀୟ ସଂପାଦକ ପଙ୍କଜା ମୁଣ୍ଡେ ନିକଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କ ପ୍ରଶଂସା କରିଥିଲେ। ଏହା ପରଠୁ ତାଙ୍କର ଦଳ ଛାଡିବା ଚର୍ଚ୍ଚା ଜୋର ଧରିଛି। ସୂତ୍ର ଅନୁଯାୟୀ ପଙ୍କଜା ପାର୍ଟିରେ ସାମିଲ ହେବା ପାଇଁ ଶିବସେନାର ପ୍ରସ୍ତାବକୁ ସ୍ପଷ୍ଟ ଭାବେ ଖାରଜ ମଧ୍ୟ କରି ନାହାନ୍ତି।

ପଙ୍କଜାଙ୍କ ପ୍ରଶଂସା ଓ ଶୁଭକାମନା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ, ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ, ସାଂସଦ ରାଓସାହେବ ଦାନବେ ଓ ପୂର୍ବତନ ମନ୍ତ୍ରୀ ସୁଧୀର ମୁନଙ୍ଗଟିଓ୍ଵାରଙ୍କ ସମାଲୋଚନାର ଠିକ୍ ବୀପରିତ ଥିଲା।

ଅକ୍ଟୋବର ୨୨ରେ ଉଦ୍ଧବ ଠାକରେ ସରକାର କ୍ଷତିଗ୍ରସ୍ତ କୃଷକଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର ରିଲିଫ ପ୍ୟାକେଜ୍ ଘୋଷଣା କରିଥିଲେ। ଏହାକୁ ବିଜେପି ବାଦାମ ସଦୃଶ ଦର୍ଶାଇଥିଲା। କିନ୍ତୁ ତିନି ଦିନ ପରେ ପଙ୍କଜା ମୁଣ୍ଡେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ରିଲିଫ ପ୍ୟାକେଜ୍‌ର ସ୍ଵାଗତ କରିଥିଲେ।

ଉଲ୍ଲେଖନୀୟ ଗତ ବର୍ଷ ବିଧାନସଭା ନିର୍ବାଚନରେ ହାରିବା ପରେ ପଙ୍କଜା ପାର୍ଟି ପ୍ରତି ଅସନ୍ତୁଷ୍ଟ ଅଛନ୍ତି। ଏକନାଥ ଖଡସେଙ୍କ ପରି ସେ ନିଜର ପରାଜୟ ପାଇଁ ପାର୍ଟିର ଗୋଷ୍ଠୀ ବିଭାଜନକୁ ଦାୟୀ କରିଥିଲେ। ପଙ୍କଜା ୨୦୦୯ ଓ ୨୦୧୪ରେ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ହେଲେ ୨୦୧୯ରେ ସେ ନିଜ ଦାଦାଙ୍କ ପୁଅ ତଥା ଏନସିପି ନେତା ଧନଞ୍ଜୟ ମୁଣ୍ଡେଙ୍କଠୁ ପରାଜିତ ହୋଇଥିଲେ।

Spread the love