July 27, 2024

Satya News

odia news channel

ମାଇକେଲ୍ ପାତ୍ର ନୂଆ ଆର୍‌ବିଆଇ ଡିଜି

ଓଡ଼ିଆଙ୍କ ଗୌରବ : ମାଇକେଲ୍ ପାତ୍ର ନୂଆ ଆର୍‌ବିଆଇ ଡିଜି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଓଡ଼ିଆ ବରିଷ୍ଠ ଅଧିକାରୀ ମାଇକେଲ ଦେବବ୍ରତ ପାତ୍ର ମଙ୍ଗଳବାର ରିଜର୍ଭ ବ୍ୟାଙ୍କର ନୂତନ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ଗତ ଜୁଲାଇ ୨୩ ତାରିଖରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଡ. ବିରଳ ଆଚାର୍ଯ୍ୟ ବ୍ୟକ୍ତିଗତ କାରଣକୁ ନେଇ ନିଜ ପଦବୀରୁ ଇସ୍ତଫା ଦେଇଥିଲା ବେଳେ ସେବେ ଠାରୁ ଏହି ପଦବୀ ଖାଲି ପଡ଼ିଥିଲା । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରୀ ପାତ୍ରଙ୍କୁ ଏହି ପଦବୀରେ ନିଯୁକ୍ତ କରାଯିବା ପରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦବୀ ସଂଖ୍ୟା ୪ରେ ପହଞ୍ଚିଛି । ମୁଦ୍ରାସ୍ଫୀତି ବ୍ୟବସ୍ଥାରେ ଶ୍ରୀ ପାତ୍ରଙ୍କ ଦୃଢ ଅଭିଜ୍ଞତା ରହିଥିବା ବେଳେ ସେ ଫଇନ୍‌ଫ୍ଲେସନ୍ ଏକ୍ସପର୍ଟ’ ଭାବେ ପରିଚିତ । ଏହାକୁ ନେଇ ୨୦୦୬ରୁ ସେ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟି(ଏମ୍‌ପିସି) ସହ ଜଡ଼ିତ ରହି ଆସିଥିବା ବେଳେ କିଛି ବର୍ଷ ହେଲା ଏହି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ । ଆସନ୍ତା ତିନିବର୍ଷ ପାଇଁ ସେ ଏହି ପଦବୀରେ କାର୍ଯ୍ୟ କରିବେ । ସାଧାରଣ ଅର୍ଥନୀତି ବ୍ୟବସ୍ଥାରେ ରିଜର୍ଭ ବ୍ୟାଙ୍କର ସୁଧ ହାର ବ୍ୟବସ୍ଥା ବହୁ ଗୁରୁତ୍ୱ ବହନ କରୁଥିବା ବେଳେ ଏଥିପାଇଁ ମୁଦ୍ରାନୀତି କମିଟି ସମୟାନୁସାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥାଏ । ସାଂପ୍ରତିକ ଆର୍ଥିକ ବ୍ୟବସ୍ଥାରେ ମୁଦ୍ରାସ୍ଫୀତି ଏବଂ ସୁଧ ହାର ବ୍ୟବସ୍ଥାକୁ ନେଇ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଯେଉଁ ନିଷ୍ପତ୍ତି ନେବେ ସେଥିରେ ଶ୍ରୀ ପାତ୍ରଙ୍କ ବଡ଼ ଭୂମିକା ରହିବ ବୋଲି କୁହାଯାଉଛି । କାରଣ ସାଧାରଣ ଅର୍ଥ ବ୍ୟବସ୍ଥା ଏବଂ ବଜାର ପୁଞ୍ଜିକୁ ନେଇ ତାଙ୍କର ରହିଥିବା ଆଭିମୁଖ୍ୟ ସାଧାରଣରେ ସ୍ପଷ୍ଟ ରହିଛି । ମାଇକେଲ୍ ପାତ୍ର ଆଇଆଇଟି ମୁମ୍ବାଇରୁ ଅର୍ଥନୀତିରେ ପିଏଚ୍‌ଡି ଲାଭ କରିଛନ୍ତି । ୧୯୮୫ରେ ସେ ଆର୍‌ବିଆଇରେ ଯୋଗ ଦେଇଥିଲେ । ୨୦୦୫-୦୬ରେ ମୁଦ୍ରାନୀତି ବିଭାଗରେ କାର୍ଯ୍ୟ କରିବା ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିସାରିଛନ୍ତି । ଗତ ତିନିଟି ମୁଦ୍ରାନୀତି ବୈଠକରେ ସେ ଅର୍ଥବ୍ୟବସ୍ଥାକୁ ଉନ୍ନତ କରିବା ଲାଗି ସୁଧହାର ହ୍ରାସକୁ ସମର୍ଥନ କରିଥିଲେ । ଆର୍‌ବିଆଇରେ ଚାରିଜଣ ଡେପୁଟି ଗଭର୍ଣ୍ଣରଙ୍କ ମଧ୍ୟରୁ ୨ ଜଣଙ୍କୁ ପଦୋନ୍ନତି ଜରିଆରେ ଦାୟିତ୍ୱ ଦିଆଯାଉଥିବାବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ କମର୍ସିଆଲ୍ ବ୍ୟାଙ୍କର ଏବଂ ଅନ୍ୟ ଏକ ପଦବୀ ଅର୍ଥନୀତିଜ୍ଞଙ୍କ ପାଇଁ ଥାଏ । ଏଥିରେ ଶ୍ରୀ ପାତ୍ରଙ୍କ ବ୍ୟତୀତ ଏନ୍‌ଏସ୍ ବିଶ୍ୱନାଥନ, ବିପି କାନୁନ୍‌ଗୋ ଏବଂ ଏମ୍‌କେ ଜୈନ ପ୍ରମୁଖ ସାମିଲ ଅଛନ୍ତି । ବିଶ୍ୱନାଥନଙ୍କ କାର୍ଯ୍ୟକାଳକୁ ଅଧିକ ବର୍ଷେ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ।

Spread the love