July 27, 2024

Satya News

odia news channel

ମୁଦ୍ରାସ୍ଫୀତି ବୃଦ୍ଧି ଚିନ୍ତା: ଆର୍‌ବିଆଇ କରିପାରେ ସୁଧ ହ୍ରାସ



ମୁଦ୍ରାସ୍ଫୀତି ବୃଦ୍ଧି ଚିନ୍ତା:
ଆର୍‌ବିଆଇ କରିପାରେ ସୁଧ ହ୍ରାସ
ନୂଆଦିଲ୍ଲୀ: ଗତ ଡିସେମ୍ବର ମାସରେ ଦେଶର ଖାଉଟିସ୍ତରର ମୁଦ୍ରାସ୍ଫୀତି ହାର ସର୍ବାଧିକ ଭାବେ ବୃଦ୍ଧି ପାଇଥିବା ବେଳେ ଏହାକୁ ନେଇ ବିଭିନ୍ନ ସ୍ତରରେ ଚିନ୍ତା ବ୍ୟକ୍ତ କରାଯାଇଛି ।  ଏହି ମାସରେ ମୁଦ୍ରାସ୍ଫୀତି ୭.୩୫ ପ୍ରତିଶତ ଛୁଇଁବା ସହିତ ବିଗତ ୪ ବର୍ଷ ମଧ୍ୟରେ ଏହା ସର୍ବୋଚ୍ଚସ୍ତରରେ ପହଞ୍ଚିଛି । ଗୋଟିଏ ପଟେ  ମାନ୍ଦା ଅର୍ଥନୀତି ବ୍ୟବସ୍ଥାକୁ ନେଇ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେବା ସହ ଜାତୀୟ ଅଭିବୃଦ୍ଧି ହାର  ମଧ୍ୟ ବିଗତ ୬ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ଛୁଇଁଥିବା ବେଳେ ଖାଉଟିସ୍ତରର ମୁଦ୍ରାସ୍ଫୀତି ବୃଦ୍ଧି ଅର୍ଥନୀତି ବ୍ୟବସ୍ଥା ପାଇଁ ଆହୁରି ସମସ୍ୟାବହୁଳ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ  ପୁଣି ଥରେ  ସୁଧ ହାର ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ଦେଶର ମୁଦ୍ରାସ୍ଫୀତି ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ  ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧ ହାର(ରେପୋ) ଅପରିବର୍ତ୍ତନୀୟ ରଖାଯାଇଥିଲା । କିନ୍ତୁ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ପୁଣି ଥରେ ସୁଧ ହାରରେ ହ୍ରାସ କରାଯାଇପାରେ ବୋଲି କୁହାଯାଇଛି । ଆସନ୍ତା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକରେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଫଆକୋମୋଡେଟିଭ୍‌’ ନୀତି ବଦଳରେ ଫନିୟୁଟ୍ରାଲ’ ନୀତି ଅବଲମ୍ବନ କରି ସୁଧ ହାର ହ୍ରାସ କରିପାରନ୍ତି ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ଆର୍ଥିକ ବର୍ଷର ମଧ୍ୟ ଭାଗରୁ  ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଆର୍ଥିକ ଏବଂ ବିତ୍ତୀୟ ବ୍ୟବସ୍ଥା ପ୍ରଭାବିତ ହେବା ଆରମ୍ଭ ହେବା ପରେ ସାଧାରଣ ଅର୍ଥନୀତି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା ।  ଯେଉଁଥିପାଇଁ ୨୦୧୯ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୫ଥର ସୁଧ ହାରରେ ହ୍ରାସ କରାଯିବା ସହିତ ମୋଟ ୧୩୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା ।  ଏହାର ମୂଳ ଲକ୍ଷ୍ୟ ଥିଲା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା । କିନ୍ତୁ ୨୦୧୮ ଡିସେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ହାର (-)୨.୬୫ ପ୍ରତିଶତ ରହିଥିଲା ବେଳେ ୨୦୧୯  ନଭେମ୍ବରରେ ଏହା ୧୦.୦୧ ପ୍ରତିଶତ ଏବଂ ଡିସେମ୍ବରରେ ୧୪.୧୨ ପ୍ରତିଶତରେ ପହଞ୍ଚିଛି ।  ଯଦ୍ୱାରା  ଖାଉଟିସ୍ତରର ମୁଦ୍ରାସ୍ଫୀତି ସର୍ବାଧିକସ୍ତରରେ ପହଞ୍ଚିବା ସହିତ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ତୁଳନାରେ ମଧ୍ୟ  ଅଧିକସ୍ତରରେ ପହଞ୍ଚିଛି । ଦେଶର ମୁଦ୍ରାସ୍ଫୀତି ହାର ୨ ରୁ ସର୍ବାଧିକ ୬ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଲକ୍ଷ୍ୟଧାର୍ଯ୍ୟ କରିଥିଲେ ହେଁ ଏହା ସମ୍ଭବ ହୋଇପାରି ନାହିଁ । ଏହାଛଡ଼ା  ସାଂପ୍ରତିକ ଅର୍ଥ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ବିତ୍ତୀୟ ବ୍ୟବସ୍ଥାକୁ ନେଇ ବିଭିନ୍ନ ସମାଗ୍ରୀ ମୂଲ୍ୟ ବୃଦ୍ଧି ପାଇ ଚାଲିଥିବାରୁ  ଆଗାମୀ ଦିନରେ ମୁଦ୍ରାସ୍ଫୀତି ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି । ତେଣୁ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ସୁଧ ହାରରେ ହ୍ରାସ କରିବାକୁ ବାଧ୍ୟ ହେବେ ବୋଲି ବିଭିନ୍ନ ମହଲରେ ଆକଳନ କରାଯାଇଛି । ଗତ ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧ ହାରରେ ହ୍ରାସ କରାଯାଇନଥିଲେ ହେଁ ଆବଶ୍ୟକସ୍ଥଳେ ଏଥିରେ ହ୍ରାସ କରାଯାଇପାରେ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସୂଚନା ଦେଇଥିଲେ । ତେବେ ଫେବୃଆରୀରେ ହେବାକୁ ଥିବା ସମୀକ୍ଷା ବୈଠକରେ ରେପୋ ହାରରେ ୫୦ ବେସିସ୍ ପଏଣ୍ଟ ହ୍ରାସ କରାଯିବ ବୋଲି ଅର୍ଥନୀତିଜ୍ଞମାନେ ଆଶା ବ୍ୟକ୍ତ କରିଛନ୍ତି ।

Spread the love