July 27, 2024

Satya News

odia news channel

ମୁସଲମାନ ଦଳବେହେରା ମୋଜିବୁର ରେହେମାନଙ୍କ ପରଲୋକ

 

ବୋଲଗଡ଼ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍‌ ମାଣିକଗୋଡ଼ା ଗ୍ରାମର ମୁସଲମାନ ଦଳବେହେରା ମୋଜିବୁର ରେହେମାନଙ୍କର ଶୁକ୍ରବାର ପରଲୋକ ଘଟିଛି। ତାଙ୍କୁ ୪୭ବର୍ଷ ବୟସ ହୋଇଥିଲା। ସେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ ରାଜ ରାଜୁଡା ଅମଳରୁ ତାଙ୍କ ପରିବାର ମାଣିକାଗୋଡ଼ାର ଦଳବେହେରା କାର୍ଯ୍ୟ ବଂଶାନୁକ୍ରମିକଭାବେ ତୁଲାଇ ଆସୁଛନ୍ତି । ତାଙ୍କ ପରିବାର ମୁସଲମାନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ପରମ୍ପରା ଅନୁସାରେ ଦଶହରା ପର୍ବର ଅପରାଜିତା ହୋମରେ ଦଳବେହେରା ଭାବେ ସେମାନେ କର୍ତ୍ତା ହୋଇଥାନ୍ତି। ପ୍ରାୟ ଷୋଡ଼ଶ ଶତାବ୍ଦୀରୁ ପ୍ରଚଳିତ ହୋଇ ଆସୁଥିବାରୁ ମାଣିକଗୋଡ଼ା ଗ୍ରାମରେ ହିନ୍ଦୁ ମୁସଲମାନ ମିଳିତ ଭାବେ ଦଶହରା ପାଳନ କରିଆସୁଛନ୍ତି।
ପ୍ରାୟ ଦେଢ଼ ବର୍ଷ ପୂର୍ବେ ମୋଜିବୁର ରେହେମାନଙ୍କର ପିତା ସ୍ବର୍ଗତ ହବିବୁର ରେହେମାନଙ୍କର ବିୟୋଗ ଘଟିଥିଲା। ତେଣୁ ତାଙ୍କ ପରେ ମୋଜିବୁର ଗତବର୍ଷ ଦଶହରା ପର୍ବରେ ହାତରେ କୁଶବଟୁ ପିନ୍ଧି କର୍ତ୍ତାଭାବେ ଦାୟିତ୍ବ ତୁଲାଇଥିଲେ। ଚଳିତବର୍ଷ ଦଶହରା ବେଳକୁ ସେ ଅସୁସ୍ଥ ଥିବାରୁ ତାଙ୍କ ସାନଭାଇ ଲତିଫଉର ରେହେମାନ ଦଳବେହେରାଙ୍କ ପ୍ରତିନିଧି ଭାବେ କର୍ତ୍ତାଭାବେ ଅପରାଜିତା ହୋମରେ ବସିଥିଲେ।
Spread the love