July 27, 2024

Satya News

odia news channel

Oxford ୟୁନିଭର୍ସିଟି ଛାତ୍ରସଂସଦ ସଭାପତି ନିର୍ବାଚିତ ହେଲେ ଭାରତୀୟ ଛାତ୍ରୀ ରଶ୍ମୀ ସାମନ୍ତ, ରଚିଲେ ଇତିହାସ

 

ଇଂଲଣ୍ଡ : ଭାରତୀୟ ଛାତ୍ରୀ ବ୍ରିଟେନର ବିଶ୍ୱବିଖ୍ୟାତ ଅକ୍ସଫର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି। ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଥିବା ଛାତ୍ରୀଜଣକ ହେଉଛନ୍ତି ରଶ୍ମୀ ସାମନ୍ତ। ଏହି ପଦବୀରେ ଅଧିଷ୍ଠିତ ହେବାରେ ରଶ୍ମୀ ପ୍ରଥମ ଭାରତୀୟ ମହିଳା।

ଅକ୍ସଫର୍ଡ ବିଶ୍ୱବିଦ୍ୟାଳୟର ୨୦୨୧ ଛାତ୍ର ସଂସଦର ନିର୍ବାଚନ କେବଳ ରଶ୍ମୀଙ୍କ ଲାଗି ସ୍ମରଣୀୟ ନୁହେଁ ଏଥର ନିର୍ବାଚନରେ ରେକର୍ଡ ଭୋଟିଂ ମଧ୍ୟ ହୋଇଛି। ବିଶ୍ୱବିଦ୍ୟାଳୟର ୪ହଜାର ୮୮୧ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପଦପଦବୀ ଲାଗି ୩୬ ହଜାର ୪୦୫ଟି ଭୋଟ ଦେଇଛନ୍ତି। ଏଥିରୁ ଛାତ୍ର ସଂସଦ ସଭାପତି ପଦବୀ ଲାଗି ହୋଇଥିବା ୩ହଜାର ୭ଶହ ୮ଟି ଭୋଟରୁ ରଶ୍ମୀଙ୍କୁ ସର୍ବାଧିକ ୧ ହଜାର ୯୬୬ଟି ଭୋଟ ମିଳିଛି।

ରଶ୍ମୀ ଅକ୍ସଫର୍ଡ ୟୁନିଭର୍ସିଟି ଅନ୍ତର୍ଗତ ଲିନାକ୍ରେ କଲେଜରେ ଏମଏସସି ଏନର୍ଜି ସିଷ୍ଟମର ଛାତ୍ରୀ ଅଟନ୍ତି।  ରଶ୍ମୀ ଭାରତର କର୍ଣ୍ଣାଟକ ରାଜ୍ୟ ମନିପାଲର ବାସିନ୍ଦା। ତାଙ୍କର ବିଦ୍ୟାଳୟ ଶିକ୍ଷା ମନିପାଲ ଓ ଉଡିପିରେ ସମାପ୍ତ ହୋଇଥିଲା। ରଶ୍ମୀ ମନିପାଲ ଇନିଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲଜି (ଏମଆଇଟି)ରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିବା ପରେ  ଅକ୍ସଫର୍ଡ ୟୁନିଭର୍ସିଟିରେ ଯୋଗ ଦେଇଥିଲେ।

ରଶ୍ମୀ ଏମଆଇଟିରେ ପଢୁଥିବା ବେଳେ ଛାତ୍ର ସଂସଦର ଟେକ୍ନିକାଲ ସେକ୍ରେଟାରୀ ଥିଲେ। ଏଠାରେ ପଢୁଥିବା ବେଳେ ସେ ମନିପାଲ ହେକଥନର ଶୁଭାରମ୍ଭ କରିଥିଲେ। ବିଶ୍ୱବିଦ୍ୟାଳୟ ନିର୍ବାଚନରେ ରଶ୍ମୀଙ୍କ ସମେତ ଅନ୍ୟ କିଛି ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ  ପଦପଦବୀ ଲାଗି ନିର୍ବାଚିତ ହୋଇଛନ୍ତି। ଏଥିରେ ଦେବିକା ଗ୍ରାଜ୍ୟୁଏଟସ୍‌ ଇଲେକ୍ଚ ଉପାଧ୍ୟକ୍ଷ ଓ ଧିତି ଗୋୟଲ ଷ୍ଟୁଡେଣ୍ଟ ଟ୍ରଷ୍ଟିଜ୍ ପଦବୀ ନିମନ୍ତେ ନିର୍ବାଚିତ ହୋଇଛନ୍ତି।

Spread the love