July 27, 2024

Satya News

odia news channel

ଦକ୍ଷିଣ କୋରିଆର ‘ପାରାସାଇଟ୍‌’କୁ ଓସ୍କାର

ନୂଆଦିଲ୍ଲୀ,୧୧/୨: ଦକ୍ଷିଣ କୋରିଆର ‘ପାରାସାଇଟ୍‌’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଓସ୍କାର ପୁରସ୍କାର ମିଳିଛି। ଏହି ପୁରସ୍କାର ହାସଲ କରିବା ପରେ ପାରାସାଇଟ୍ ପ୍ରଯୋଜକ କ୍ୱାକ୍ ସିନ୍ ଆଇ ଖୁସିରେ ଆତ୍ମହରା ହୋଇପଡ଼ିବା ସହ ଏହା ତାଙ୍କ ଜୀବନର ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି। ଦୁଇଟି ପରିବାରକୁ ନେଇ ରଚିତ କାହାଣୀ ‘ପାରାସାଇଟ୍‌’ର କାହାଣୀ ଦୁଇଟି ପରିବାରକୁ ନେଇ ରଚିତ ହୋଇଥିବାବେଳେ ଏହା ହଲିଉଡ୍‌ ଚଳଚ୍ଚିତ୍ରକୁ ମଧ୍ୟ ପଛରେ ପକାଇଛି। ସୂଚନାନୁଯାୟୀ, ଅଣ-ଇଂରାଜୀ ପର୍ଯ୍ୟାୟରେ ୧୧ଟି ଚଳଚ୍ଚିତ୍ର ସ୍ଥାନ ପାଇଥିଲା। ସେଗୁଡ଼ିକ ମଧ୍ୟରୁ ଦକ୍ଷିଣ କୋରିଆର ଚଳଚ୍ଚିତ୍ର ‘ପାରାସାଇଟ୍‌’ ବିଚାରକମାନଙ୍କ ହୃଦୟ ଜିଣିପାଇଥିଲା। ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ଆନ୍ତର୍ଜାତିକ ଫିଚର୍ ଫିଲ୍ମ ଓ ଶ୍ରେଷ୍ଠ ଓରିଜିନାଲ୍ ସ୍କ୍ରିନ୍‌ପ୍ଲେ ପର୍ଯ୍ୟାୟରେ ମଧ୍ୟ ‘ପାରାସାଇଟ୍‌’ ବାଜି ମାରିଛି। ‘ପାରାସାଇଟ୍‌’କୁ ‘୧୯୧୭’ ଓ ‘ୱାନ୍ସ ଅପନ୍ ଏ ଟାଇମ୍‌…ଇନ୍ ହଲିଉଡ୍‌’ କଡ଼ା ଟକ୍କର ଦେଇଥିଲା। ‘ଜୋକର’ରେ ନିଖୁଣ ଅଭିନୟ ପାଇଁ ଜୋଆକ୍ୱିନ୍ ଫୋଏନିକ୍ସ ଶ୍ରେଷ୍ଠ ଅଭିନେତା ଓ ‘ଜୁଡି’ରେ ଜୀବନ୍ତ ଅଭିନୟ କରି ରିନି ଜେଲ୍‌ୱେଜେର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ଲାଭ କରିଛନ୍ତି। ସେହିପରି ‘ମ୍ୟାରେଜ୍ ଷ୍ଟୋରି’ରେ ଭଲ ଅଭିନୟ କରି ଲୌରା ଡେର୍ନ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଏବଂ ‘ୱାନ୍ସ ଅପନ୍ ଏ ଟାଇମ୍‌…ଇନ୍ ହଲିଉଡ୍‌’ରେ ଜୀବନ୍ତ ଅଭିନୟ କରି ବ୍ରାଡ୍ ପିଟ୍ଟ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ପୁରସ୍କାର ଲାଭ କରିଛନ୍ତି। କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଭାବେ ‘ଲର୍ଣ୍ଣିଂ ଟୁ ସ୍କେଟ୍‌ବୋର୍ଡ ଇନ୍ ଏ ୱାର୍ ଜୋନ୍ (ଇଫ୍ ୟୁ ଆର୍ ଏ ଗାର୍ଲ)’ ପୁରସ୍କୃତ ହୋଇଛି। ଫିଚର୍ ପ୍ରାମାଣିକ ପର୍ଯ୍ୟାୟରେ ‘ଆମେରିକାନ୍ ଫ୍ୟାକ୍ଟରି’ ପୁରସ୍କାର ଲଭିଛି। ଶ୍ରେଷ୍ଠ ସିନେମାଟୋଗ୍ରାଫି ଭାବେ ‘୧୯୧୭’ ଓ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ବୁଙ୍ଗ୍ ଜୋନ୍ ହୋ(ପାରାସାଇଟ୍‌) ଏହି ପୁରସ୍କାର ହାସଲ କରିଛନ୍ତି।

Spread the love