July 27, 2024

Satya News

odia news channel

ପିଓକେ ଆମର, ସଂସଦ ଚାହିଁଲେ ଛଡ଼ାଇ ଆଣିବୁ: ସେନାମୁଖ୍ୟ

ପାକିସ୍ତାନର ନିଦ ଭାଙ୍ଗିଦେଲେ ସେନାମୁଖ୍ୟ
ପିଓକେ ଆମର, ସଂସଦ ଚାହିଁଲେ ଛଡ଼ାଇ ଆଣିବୁ

ନୂଆଦିଲ୍ଲୀ,୧୧/୧: ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ପାକିସ୍ତାନର ନିନ୍ଦ ଭାଙ୍ଗିଦେଇଛନ୍ତି । ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ନେଇ ଶନିବାର ସେ ଏକ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ଜମ୍ମୁ-କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସଂସଦୀୟ ସଂକଳ୍ପ ରହିଛି । ଯଦି ସଂସଦ ଚାହିଁବ ପିଓକେ ଭାରତରେ ରହୁ ବୋଲି ତେବେ ପାକିସ୍ତାନର ଅବୈଧ ଦଖଲରେ ଥିବା ସେହି କ୍ଷେତ୍ରକୁ ଭାରତକୁ ଫେରାଇ ଅଣାଯିବ । ସେନାକୁ ଏନେଇ ନିର୍ଦେଶ ମିଳିଲେ ଆମେ ଉଚିତ କାର୍ଯ୍ୟାନୁଷ୍ଠାନ ନେବୁ ।

ସୂଚନାଯୋଗ୍ୟ ଗତବର୍ଷ ଅଗଷ୍ଟ ୫ରେ ମୋଦି ସରକାର ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀରଠାରୁ ଲଦାଖକୁ ଅଲଗା କରିଥିଲେ । ଏହାସହ ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ନୂଆ ମାନଚିତ୍ର ଜାରି କରିଥିଲେ । ଉକ୍ତ ମ୍ୟାପରେ ପିଓକେକୁ ଭାରତର ଅଂଶ ଭାବେ ପ୍ରଦର୍ଶିତ କରାଯାଇଛି । ତେଣୁ ଅନୁଚ୍ଛେଦ ୩୭୦କୁ ହଟାଇବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମିଶନ ପିଓକେ’କୁ ସଫଳ କରିବା ପାଇଁ ସେନାକୁ ନିର୍ଦେଶ ଦେଇପାରନ୍ତି ବୋଲି କୁହାଯାଉଛି । ଅପେକ୍ଷା ରହିଛି କେବଳ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ମାଷ୍ଟରପ୍ଲାନକୁ ।

 

Spread the love