February 15, 2025

୧୯ରୁ ମାଟ୍ରିକ୍‌ ପରୀକ୍ଷା: ନୋଡାଲ ସେଣ୍ଟର୍‌କୁ ଗଲା ମାଟ୍ରିକ୍ ପ୍ରଶ୍ନପତ୍ର, ଫ୍ଲାଇଙ୍ଗ୍‌ ଓ ସ୍ବତନ୍ତ୍ର ସ୍କ୍ବାଡ୍‌ରେ କଲେଜ ଅଧ୍ୟାପକ

ଭୁବନେଶ୍ବର,୧୧/୨: ଫେବ୍ରୁଆରୀ ୧୯ରୁ ଆରମ୍ଭ ହେଉଛି ମାଟ୍ରିକ୍‌ ପରୀକ୍ଷା। ହାତରେ ଆଉ କମ୍‌ ସମୟ ବାକି ଥିବାବେଳେ ପରୀକ୍ଷାର ସୁପରିଚାଳନା ପାଇଁ ସ୍କ୍ବାଡ୍‌ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଏଥର ଫ୍ଲାଇଙ୍ଗ୍‌ ଓ ସ୍ବତନ୍ତ୍ର ସ୍କ୍ବାଡ୍‌ରେ କଲେଜ ଅଧ୍ୟାପକ ଏବଂ ରିଡରମାନଙ୍କୁ ସାମିଲ କରାଯିବ। ସେମାନେ କପି ରୋକିବା, ସିସିଟିଭି ଯାଞ୍ଚ, ପରୀକ୍ଷା ପରିଚାଳନା ଆଦି ବିଷୟରେ ଯାଞ୍ଚ କରିବେ। ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅଧ୍ୟାପକ ଓ ରିଡରମାନଙ୍କ ତାଲିକା ଜାରି ହୋଇଛି। ସ୍କ୍ବାଡ୍‌‌ରେ ସାମିଲ ହେବା ପୂର୍ବରୁ ସେମାନେ କିଭଳି ତାଲିମ ନେବେ ସେଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁରୋଧ କରାଯାଇଛି। ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ରେ ସାମିଲ ହୋଇଥିବା ସଦସ୍ୟମାନେ ୧୮ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ନିକଟରେ ରିପୋର୍ଟ କରିବେ। ଉକ୍ତ ସଦସ୍ୟମାନଙ୍କୁ ୧୭ ତାରିଖ ପୂର୍ବାହ୍ଣ ୧୧ଟା ସୁଦ୍ଧା‌ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ପରୀକ୍ଷା କେନ୍ଦ୍ର ପର୍ଯ୍ୟବେକ୍ଷଣ ବୈଠକରେ ସାମିଲ ହେବାକୁ କୁହାଯାଇଛି। ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ରେ ୬୯ ଜଣ ଅଧ୍ୟାପକ ଓ ରିଡର ସାମିଲ ହେବାକୁ ଥିବାବେଳେ ସ୍ବତନ୍ତ୍ର ସ୍କ୍ବାଡ୍‌ରେ ୩୪ ଜଣଙ୍କୁ ସାମିଲ କରାଯାଇଛି। ପ୍ରତି ଜିଲ୍ଲାରୁ ୨ରୁ ୩ ଜଣ ଅଧ୍ୟାପକ ଓ ରିଡରଙ୍କୁ ଉଭୟ ସ୍କ୍ବାଡ୍‌ରେ ରଖାଯାଇଛି। ଅନ୍ୟପକ୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ପ୍ରଶ୍ନପତ୍ର ସୋମବାର ଅପରାହ୍ଣରୁ ନୋଡାଲ ସେଣ୍ଟରକୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ଭବାନୀପାଟଣା, କୋରାପୁଟ, ନୂଆପଡ଼ା, ବାଲେଶ୍ବର ଅଞ୍ଚଳରେ ଥିବା ନୋଡାଲ ସେଣ୍ଟରକୁ ସୁରକ୍ଷା ବଳୟ ମଧ୍ୟରେ ୪ଟି ଗାଡ଼ିରେ ପ୍ରଶ୍ନପତ୍ର ପଠାଯାଇଥିବା ସୂଚନା ମିଳିଛି। ବୋର୍ଡ ସଭାପତି ରାମାଶିଷ ହାଜରା ନଡ଼ିଆ ବାଡେଇ ପ୍ରଶ୍ନପତ୍ର ଗାଡ଼ି ଯାତ୍ରାର ଉଦ୍‌ଘାଟନ କରିଥିଲେ।

Spread the love