July 27, 2024

Satya News

odia news channel

ପୁଅ ନିଖୋଜ ହେବାରୁ ଥାନାରେ ପହଞ୍ଚିଲେ ବାପା : ତା ପରଦିନ ଘରର ଛାତରୁ ମିଳିଲା କଙ୍କାଳ

 

କୋଲକାତା : ପଶ୍ଚିମବଙ୍ଗର ସଲ୍ଟ ଲେକ୍‌ରେ ଜଣେ ୨୫ବର୍ଷର ଯୁବକ ନିଖୋଜ ହେବା ପରେ ତାଙ୍କ କଙ୍କାଳ ତାଙ୍କରି ଘରର ଛାତରେ ମିଳିବା ଫଳରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଯୁବକ ଗୁରୁବାର ନିଖୋଜ ହୋଇଯାଇଥିଲେ। ପୋଲିସର କହିବା ଅନୁସାରେ ଯେଉଁ କଙ୍କାଳ ମିଳିଛି ତାହା ଯୁବକର ବୋଲି ସନ୍ଦେହ କରାଯାଉଛି।

ଅନିଲ କୁମାର ମହେନସରିଆ ନାମକ ବ୍ୟକ୍ତି ତାଙ୍କ ପୁଅ କିଛି ଦିନ ହେବ ନିଖୋଜ ଥିବାର ଅଭିଯୋଗ କରିଥିଲେ। ଏହା ପରେ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ କରିବାକୁ ଯେତେବେଳେ ପୋଲିସ୍ ମାମଲାର ତଦନ୍ତ ଆରମ୍ଭ କରିଥିଲା ସେତେବେଳେ ଅନିଲଙ୍କ ଘରର ଛାତରୁ ଏକ ନରକଙ୍କାଳ ଜବତ ହୋଇଥିଲା।

ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଅନିଲଙ୍କ ପତ୍ନୀ ଗୀତା ସଲ୍ଟ ଲେକ୍ ଘରକୁ ଛାଡ଼ି ଗତ ବର୍ଷ ନିଜ ପିଲା ଅର୍ଜୁନ,ବିଦୂର ଏବଂ ବୈଦେହୀଙ୍କ ସହ ନିକଟସ୍ଥ ରାଜାରହାଟରେ ରହିବାକୁ ଚାଲି ଯାଇଥିଲେ।

ଅକ୍ଟୋବର ମାସରେ ଅନିଲଙ୍କୁ ଜଣା ପଡ଼ିଥିଲା ଯେ ତାଙ୍କ ପତ୍ନୀ ଏବଂ ୩ପିଲା ରାଞ୍ଚି ଚାଲି ଯାଇଛନ୍ତି ଏବଂ ନିଜ ବାପା ମାଆଙ୍କ ଘରେ ରହୁଛନ୍ତି। ଏହି ସମୟରେ ତାଙ୍କର ବଡ଼ ପୁଅ ଅର୍ଜୁନଙ୍କ ସହ କଥାବାର୍ତ୍ତା ହୋଇପାରିନଥିଲା ଏବଂ ତାଙ୍କ ପତ୍ନୀ କହିଥିଲେ ଯେ ସେ ମଧ୍ୟ ରାଞ୍ଚିରେ ଅଛନ୍ତି। ନିଜ ପୁଅ ସହ କଥା ନ ହୋଇପାରିବାରୁ ଅନିଲ ଗୁରୁବାର ସକାଳେ ବିଧାନ ନଗର ଇଷ୍ଟ ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ସେ ଅର୍ଜୁନଙ୍କ ନିଖୋଜ ହେବା ପଛରେ ପତ୍ନୀଙ୍କ ହାତ ରହିଥିବା ଅଭିଯୋଗ କରିଥିଲେ।

ଅନିଲଙ୍କୁ ସନ୍ଦେହ ହୋଇଥିଲା ଯେ ତାଙ୍କ ପତ୍ନୀ ଅନ୍ୟ କିଛି ଲୋକଙ୍କ ସହାୟତାରେ ଅର୍ଜୁନଙ୍କ ଅପହରଣ କରିଛନ୍ତି ଏବଂ ତାଙ୍କ ହତ୍ୟା କରାଇ ଦେଇଛନ୍ତି। ପୋଲିସ୍ ଗତକାଲି ସନ୍ଧ୍ୟାରେ ଏଜେ ବ୍ଲକର ଅନିଲଙ୍କ ଘରର ଛାତରୁ ଏକ କଙ୍କାଳକୁ ଖୋଜି ବାହାର କରିଥିଲେ। କଙ୍କାଳକୁ ମେଡିକାଲ ଯାଞ୍ଚ ପାଇଁ ପଠାଯାଇଥିଲା। ପ୍ରାଥମିକ ଭାବେ ଏହା ଅର୍ଜୁନଙ୍କ ବିବରଣ ସହ ମେଳ ଖାଉଥିବା ଜଣା ପଡ଼ିଛି। ମେଡିକାଲ୍ ରିପୋର୍ଟ ଆସିବା ପରେ ସବୁ କିଛି ଜଣା ପଡ଼ିଯିବ।

Spread the love