July 27, 2024

Satya News

odia news channel

ଆସନ୍ତା ୨୪ ଘଣ୍ଟା ଯାଏ ୭ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର,୮/୨: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ୩୦ରୁ ୪୦କିମି ବେଗରେ ପବନ ବହିବ। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପୁରୀ, ଢ଼େଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବାବେଳେ ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁରର ଆଦି କେତେକ ଜିଲ୍ଲାରେ ଘୂର୍ଣ୍ଣିଝଡ଼ର ଆଶଙ୍କା ରହିଛି। ସେହିପରି ୮ ତାରିଖ ପୂର୍ବାହ୍ଣରୁ ୯ ତାରିଖ ପୂର୍ବାହ୍ନ ମଧ୍ୟରେ ରାୟଗଡ଼ା, ଗଜପତି, ପୁରୀ, ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ୩୦ରୁ ୪୦ କିମି ବେଗରେ ପବନ ବହିବ। ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ରାସ୍ତାଘାଟ ଠିକ ଭାବେ ଦୃଶ୍ୟମାନ ହେବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ୯ ତାରିଖ ଅପରାହ୍ଣରୁ ପାଗରେ ପରିବର୍ତ୍ତନ ଆସିବ। ବର୍ଷା କମିବା ସହ କୁହୁଡ଼ି ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୯ ଓ ୧୦ ତାରିଖରେ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବ। ଏଥିସହ ୧୦ ଓ ୧୧ ତାରିଖରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଅନୁଗୁଳ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ହେବ। ଆସନ୍ତା ୨ ଦିନ ଯାଏ ରାତିର ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଏହାପରେ ତାପମାତ୍ରା ଲଗାତାର ୨ରୁ ୪ ଡିଗ୍ରି କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Spread the love