July 27, 2024

Satya News

odia news channel

ରାଜସ୍ଥାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: କ୍ଷମତା ଲାଗି ରାଜ୍ୟରେ BJP ସହ ହାତ ମିଳାଇଲା Congress ! ସହଯୋଗୀ ଟଣାଓଟରା

 

ଜୟପୁର : ରାଜ୍ୟରେ କ୍ଷମତାସୀନ କଂଗ୍ରେସ ଓ ବିରୋଧୀ ବିଜେପି ନେତାମାନେ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ ଆଞ୍ଚଳିକ ଦଳଙ୍କୁ ଦୂରେଇ ଦେଇ ପରସ୍ପର ହାତ ମିଳାଇଛନ୍ତି। ଡୁଙ୍ଗରପୁର ଜିଲ୍ଲା ପରିଷଦ ନିର୍ବାଚନରେ ଭାରତୀୟ ଟ୍ରାଇବଲ ପାର୍ଟି (ବିଟିପି) ପ୍ରାର୍ଥୀଙ୍କୁ ହରାଇବା ଲାଗି କଂଗ୍ରେସ ସ୍ୱାଧୀନ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିଦେଇଛି।

ରାଜ୍ୟରେ ବିଟିପି ଗତ ରାଜନୈତିକ ସଂକଟ କାଳ ସମେତ ଗତ ରାଜ୍ୟସଭା ନିର୍ବାଚନରେ ଗହଲୋତ ସରକାରଙ୍କୁ ସମର୍ଥନ କାୟମ ରଖିଥିଲା। ଡୁଙ୍ଗରପୁର ଜିଲ୍ଲା ପରିଷଦର ୨୭ଟି ଆସନରୁ ୧୩ଟିରେ ବିଟିପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଠାରେ ବିଜେପିକୁ ୮ ଓ କଂଗ୍ରେସକୁ ମାତ୍ର ୬ଟି ଆସନ ମିଳିଛି। ଏଥିରେ ବିଜେପି ଛାଡି ନିର୍ଦ୍ଦଳୀୟ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ସୂର୍ଯ୍ୟ ଆହାରୀଙ୍କୁ କଂଗ୍ରେସ ସମର୍ଥନ କରିବାରୁ ସେ  ବିଜୟୀ ହୋଇଛନ୍ତି।

କେବଳ ଡୁଙ୍ଗରପୁର ନୁହେଁ  ନଗୋର ଜିଲ୍ଲା ଖିନୋବସର ପଞ୍ଚାୟତ ସମିତିରେ ମଧ୍ୟ କଂଗ୍ରେସ ବିଜେପି ସହ ହାତ ମିଳାଇଥିବାର ଜଣାପଡିଛି। ଏଠାରେ କଂଗ୍ରେସ ଓ ବିଜେପି ଏକାଠି ହୋଇ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି) ପ୍ରାର୍ଥୀଙ୍କୁ ହରାଇଛନ୍ତି। ରାଜ୍ୟରେ ବିଜେପିର ସହଯୋଗୀ ଦଳ ଆରଏଲପି। ତେବେ କଂଗ୍ରେସସହ ମିସି ବିଜେପି ସହଯୋଗୀଙ୍କୁ ହରାଇବା ଆରଏଲପିରେ ଏବେ ଅସନ୍ତୋଷର କାରଣ ପାଲଟିଛି। ଏଠାରେ କଂଗ୍ରେସ ଓ ବିଜେପି ମିସି ସ୍ୱାଧୀନ ପ୍ରାର୍ଥୀଙ୍କୁ ଜିଲ୍ଲାପରିଷଦ ସଭାପତି ନିର୍ବାଚିତ କରିଛନ୍ତି।

ଏଠାରେ ୩୧ରୁ ଆରଏଲପି ୧୫ ଆସନରେ ବିଜୟୀ ହୋଇଥିବା ବେଳେ ସ୍ୱାଧୀନଙ୍କୁ ୩, କଂଗ୍ରେସକୁ ୮ ଓ ବିଜେପିକୁ ୫ଟି ଆସନ ମିଳିଥିଲା।  ତେବେ ବିଜେପି ଓ କଂଗ୍ରେସ ମିସି ସ୍ୱାଧୀନ ପ୍ରାର୍ଥୀ ସୀମା ଚୌଧୁରୀଙ୍କୁ ଜିତାଇଛନ୍ତି। ରାଜ୍ୟ ପଞ୍ଚାୟତ ନିର୍ବାଚନରେ ବିଜେପି ଓ କଂଗ୍ରେସ ମେଣ୍ଟରେ ବିଟିପି ନେତା ଛୋଟୁବାଇ ବାସବାଙ୍କୁ ବ୍ୟଥିତ କରିଛି। ଏଣୁ ସେ ଏକ ଟ୍ୱିଟ୍‌ କରି ରାଜ୍ୟରେ ବିଜେପି-କଂଗ୍ରେସ ଗୋଟିଏ ପାର୍ଟି ବୋଲି ଉଲ୍ଲେଖ କରିଛନ୍ତି। ସେମାନଙ୍କ ସମ୍ପର୍କ ଏପର୍ଯ୍ୟନ୍ତ ଗୋପନ ଥିଲା ଯାହା ଏବେ ରାଜ୍ୟରେ ଉଜାଗର ହୋଇଥିବା ସେ ଉଲ୍ଲେଖ କରିଛନ୍ତି।

Spread the love