October 24, 2024

Satya News

odia news channel

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଲାଭ ୧୧,୬୪୦ କୋଟି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଲାଭ ୧୧,୬୪୦ କୋଟି

ମୁମ୍ବାଇ: ଭାରତର ସର୍ବୋତ୍ତମ ମୂଲ୍ୟଯୁକ୍ତ କମ୍ପାନୀ ଭାବେ ପରିଚିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୧୯-୨୦ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ(ଅକ୍ଟୋବର-ଡିସେମ୍ବର)ରେ  ମୋଟ ୧୧,୬୪୦ କୋଟି ଟଙ୍କା ଲାଭ କରିଥିବା ଜଣାପଡ଼ିଛି । ଶୁକ୍ରବାର କମ୍ପାନୀ ଏହାର ଆର୍ଥିକ ଫଳାଫଳ ଘୋଷଣା କରିଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ କମ୍ପାନୀ ଅଧିକ ସଫଳତା ହାସଲ କରିଥିବା କହିଛି । ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ କମ୍ପାନୀର ନିଟ୍ ଲାଭ ପରିମାଣ ୧୦,୨୫୧ କୋଟି ଟଙ୍କା ରହିଥିଲା ବେଳେ  କମ୍ପାନୀର ପ୍ରତି ଶେୟାର ପିଛା ଲାଭ ପରିମାଣ ୧୭.୩ ଟଙ୍କା ରହିଥିଲା । ହେଲେ ଚଳିତ ବର୍ଷ ଏହି ପରିମାଣ ୧୧,୬୪୦ କୋଟିରେ ପହଞ୍ଚିବା ସହିତ ପ୍ରତି ଶେୟାର ପିଛା ଲାଭ ପରିମାଣ ୧୮.୪ ଟଙ୍କାକୁ ବୃଦ୍ଧି ପାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗୋଟିଏ ଆର୍ଥିକ ବର୍ଷର ଯେକୌଣସି ତ୍ରୈମାସିକରେ କୌଣସି ଭାରତୀୟ ଘରୋଇ ଉଦ୍ୟୋଗ ସର୍ବାଧିକ ଲାଭ କରିବା କ୍ଷେତ୍ରରେ ରିଲଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ସଫଳତା ହାସଲ କରିଛି । ଗତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ କମ୍ପାନୀର ସର୍ବାଧିକ ଲାଭ ୧୧,୨୬୨ କୋଟି ଟଙ୍କା ରହିଥିଲା । କିନ୍ତୁ ଚଳିତ ବର୍ଷ ଏହି ରେକର୍ଡକୁ ମଧ୍ୟ ଅତିକ୍ରମ କରାଯାଇଥିବା କୁହାଯାଇଛି । ପେଟ୍ରୋଲିୟମ, ଗ୍ୟାସ୍ ଠାରୁ ଆରମ୍ଭ କରି ଟେଲିକମ୍ ବ୍ୟବସାୟରେ ସର୍ବାଧିକ ସଫଳତା ହାସଲ କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ତୈଳ ରିଫାଇନିଂ କ୍ଷେତ୍ରର ଆୟ ବିଗତ ୬ଟି ତ୍ରୈମାସିକରେ ନିରୁତ୍ସାହଜନକ ରହିଥିଲେ ହେଁ ଏହି ତ୍ର୍ରେୌମାସିକରେ ଆୟ ୧୨ ପ୍ରତିଶତ ଅଭିବୃଦ୍ଧିରେ ୫୬୫୭ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ରିଟେଲ ଏବଂ ଟେଲିକମ୍ କ୍ଷେତ୍ରରେ ମଧ୍ୟ କମ୍ପାନୀର କାରବାର ଓ ଲାଭ ଉଲ୍ଲେଖନୀୟ ରହିଛି । ବର୍ତ୍ତମାନ ସୁଦ୍ଧା ରିଟେଲ ବ୍ୟବସାୟ କ୍ଷେତ୍ରରେ କମ୍ପାନୀ ପକ୍ଷରୁ ୪୧୫ଟି ନୂତନ ଷ୍ଟୋର୍ ଖେଲାଯାଇଥିବା ବେଳେ ରିଲାଏନ୍ସ ଜିଓ ଗ୍ରାହକଙ୍କ ସଂଖ୍ୟାରେ ଅଧିକ ୩୭.୧ ନିୟୁତ ଗ୍ରାହକ ଯୋଡ଼ି ହୋଇଛନ୍ତି । ଏହିକ୍ରମରେ ରିଲାଏନ୍ସ ଜିଓ ଲାଭ ଗତ ବର୍ଷ ତୁଳନାରେ  ଚଳିତ ବର୍ଷ  ୬୨.୫ ପ୍ରତିଶତ ଅଭିବୃଦ୍ଧିରେ ୧୩୫୦ କୋଟି ଟଙ୍କାରେ ପହଞ୍ଚିଛି । ଗତବର୍ଷ ଜିଓ’ର ଗ୍ରାହକ ପିଛା ଆୟ ପରିମାଣ ୧୨୦ ଟଙ୍କା ରହିଥିଲା ବେଳେ ଚଳିତବର୍ଷ ଏହା ୧୨୮.୪ ଟଙ୍କାକୁ ବୃଦ୍ଧି ପାଇଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । କମ୍ପାନୀର ତ୍ରୈମାସିକ ଫଳାଫଳ ଉତ୍ତମ ରହିବା ନେଇ ନିବେଶକାରୀମାନେ ଆଶାବାଦୀ ରହିଥିଲା ବେଳେ ଶୁକ୍ରବାର ଶେୟାର କାରବାର ଆରମ୍ଭ ହେବା ପରେ ରିଲଏନ୍ସର ଶେୟାର ଉତ୍ତମ କାରବାର କରିଥିଲା । ଫଳରେ କମ୍ପାନୀର ଶେୟାର ମୂଲ୍ୟ ପୂର୍ବାପେକ୍ଷା ୩ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

 

Spread the love