July 27, 2024

Satya News

odia news channel

ଏମିତି ବଦଳିବ ଅର୍କକ୍ଷେତ୍ର

ଭୁବନେଶ୍ୱର,୧୦/୧: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଉନ୍ନତି ପାଇଁ ଓଡ଼ିଶା ସରକାର ପଦକ୍ଷେପ ନେବେ। ଏହି ପରିପ୍ରେକ୍ଷୀରେ ୫-ଟି ସଚିବ ଭି କେ ପାଣ୍ଡିଆନ ନିକଟରେ କୋଣାର୍କ ଗସ୍ତକରି ଏଏସ୍‌ଆଇ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବା ସହ ନକ୍ସା ଦେଖିଥିଲେ। ତେବେ କୋଣାର୍କର ସମୃଦ୍ଧି ଓ ବିକାଶ ପାଇଁ ମୁଖ୍ୟତଃ ଦୁଇ ତିନୋଟି କଥା ଉପରେ ଗୁରୁତ୍ୱ ଦିଆଯିବ। ମନ୍ଦିର ସମ୍ମୁଖରେ ଥିବା ଜବରଦଖଲ ହଟାଯିବା ସହ ମନ୍ଦିର ପରିସରକୁ ଆହୁରି ସୁନ୍ଦର କରାଯିବ ଏବଂ ଯାତ୍ରୀ ଓ ପରିଦର୍ଶକମାନଙ୍କ ପାଇଁ ଶୌଚାଳୟ ଓ ପାନୀୟଜଳ ଯୋଗାଣ ଆଦି ବ୍ୟବସ୍ଥା ଗ୍ରହଣ କରାଯିବ। ତେବେ ସୂର୍ଯ୍ୟମନ୍ଦିର ଚାରିପଟ ଥିବା ଅଳିଆ ଆବର୍ଜନାକୁ ହଟାଯିବ। ଏଥିସହ ମନ୍ଦିର ପରିସରରେ ପଡ଼ିଥିବା ମୂର୍ତ୍ତି ଓ ପଥର ଖଣ୍ଡଗୁଡ଼ିକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବ ବୋଲି ଜଣାପଡ଼ିଛି।

Renovation of sun temple
Renovation of sun temple

ଅନ୍ୟ ପକ୍ଷରେ ଏଏସ୍‌ଆଇ ମହାନିର୍ଦ୍ଦେଶକ ଉମା ଶର୍ମା ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ସେହି ସମୟରେ କୋଣାର୍କର ରକ୍ଷଣାବେକ୍ଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। ସୂଚନାଯୋଗ୍ୟ, କୋଣାର୍କ ମନ୍ଦିର ଏଏସ୍‌ଆଇ ମାଲିକାନାରେ ରହିଛି। ତେବେ କୋଣାର୍କ ପାଇଁ ରାଜ୍ୟ ସରକାର ଏକ ବାଇପାସ ତିଆରି କରିବାକୁ ଯୋଜନା କରୁଛନ୍ତି। ଫଳରେ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଉପୁଜିବ ନାହିଁ। ଏଥିସହ ଭେଣ୍ଡିଂ ଜୋନ୍, ଲ୍ୟାଣ୍ଡସ୍କେପିଂ ଓ ଆଲୋକୀକରଣ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଯାନବାହନ ରହଣି ପାଇଁ ଏକ ବୃହତ ଷ୍ଟାଣ୍ଡ ନିର୍ମାଣ କରାଯିବା ସହ ଟୁରିଷ୍ଟ ବସ, ଇ-ରିକ୍ସା ଆଦି ରହିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ସେହିଭଳି ମନ୍ଦିର ସମ୍ମୁଖରେ ଥିବା ଦୋକାନ ବଜାର ସବୁକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।

Renovation of sun temple
Renovation of sun temple

ସେପଟେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭକୁ ମଧ୍ୟ ଉନ୍ନତ କରିବା ପାଇଁ ସରକାର ଯୋଜନା କରିଛନ୍ତି। ସୌନ୍ଦର୍ଯ୍ୟକରଣ ବ୍ୟତୀତ ଚଲାପଥ, ସାଇକେଲ, ଶୌଚାଳୟ ଓ ଖିଆପିଆ ପାଇଁ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ ଏବଂ ମନ୍ଦିରର ପ୍ରବେଶ ଦ୍ୱାରରେ ଏକ ବିରାଟକାୟ ତୋରଣ ନିର୍ମାଣ କରିବାକୁ ସରକାର ଚିନ୍ତା କରିଛନ୍ତି। ବର୍ତ୍ତମାନର ମ୍ୟୁଜିୟମକୁ ଭଙ୍ଗାଯାଇ ପୁଣିଥରେ ଆଧୁନିକ ଢଙ୍ଗରେ ନିର୍ମାଣ କରାଯିବ।

Spread the love