
ବାଲେଶ୍ବର: ଯୁବ ସାମ୍ବାଦିକ, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ତଥା ସାହିତ୍ୟିକ ରୁଦ୍ରରଂଜନ ଶେଜପଡ଼ା ୨୦୧୮-୧୯ ବର୍ଷ ପାଇଁ ଦେଶର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପପୁଲେସନ୍ସ ଫାଷ୍ଟ (ପିଏଫ୍) ତଥା ୟୁନାଇଟେଡ୍ ନେସନ୍ସ ପପୁଲେସନ୍ ଫଣ୍ଡ (ୟୁଏନ୍ଏଫ୍ପିଏ) ପକ୍ଷରୁ ପ୍ରଦତ୍ତ ସମ୍ମାନଜନକ ‘ଜାତୀୟ ଲାଡ୍ଲୀ ମିଡିଆ ଆଣ୍ଡ ଆଡ୍ଭାଟାଇଜିଂ ଆୱାର୍ଡସ୍ ଫର୍ ଜେଣ୍ଡର ସେନ୍ସିଟିଭିଟି’ (ଏଲ୍ଏମ୍ଏଏଜିଏସ୍) ପୁରସ୍କାର ପାଇଛନ୍ତି। ଶୁକ୍ରବାର ମୁମ୍ବାଇରେ ଆୟୋଜିତ ଏକ ସ୍ବତନ୍ତ୍ର ଅନ୍ଲାଇନ୍ ଉତ୍ସବରେ ଏହି ପୁରସ୍କାର ଦିଆଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜାତୀୟ ମହିଳା କମିସନର ଅଧ୍ୟକ୍ଷ ରେଖା ଶର୍ମା ଏବଂ ସମ୍ମାନିତ ଅତିଥି ଭାବେ ‘ୟୁଏନ୍ଏଫ୍ପିଏ’ର ଭାରତ ପ୍ରତିନିଧି ତଥା ଭୁଟାନର ରାଷ୍ଟ୍ରୀୟ ନିର୍ଦେଶିକା ଆର୍ଜେଣ୍ଟିନା ମାଟାଭେ ପିସିନ ଯୋଗ ଦେଇ ତାଙ୍କୁ ପୁରସ୍କୃତ କରିଛନ୍ତି। ଆଞ୍ଚଳିକ ଭାଷା ଫିଚର ବିଭାଗରେ ବିଚାରକମାନଙ୍କ ଦ୍ବାରା ‘ସମ୍ବାଦ’ରେ ପ୍ରକାଶିତ ଶ୍ରୀ ଶେଜପଡ଼ାଙ୍କ ‘କାହା ପାଦେ ଘଂଗୁର, କାହା ହାତେ ତବଲା’ ଉତ୍କୃଷ୍ଟ ଫିଚର ଭାବେ ଚୟନ ହୋଇଥିଲା।
ସୂଚନାଯୋଗ୍ୟ; ଭାରତର ବିଭିନ୍ନ ପ୍ରଦେଶର ଛାପା ତଥା ବୈଦ୍ୟୁତିକ ଗଣମାଧ୍ୟରେ କାର୍ଯ୍ୟରତ ୧,୧୦୦ରୁ ଅଧିକ ସାମ୍ବାଦିକ ‘ଏଲ୍ଏମ୍ଏଏଜିଏସ୍’ ପାଇଁ ଆବେଦନ କରିଥିଲେ। ଯେଉଁମାନଙ୍କ ମଧ୍ୟରୁ ମୋଟ ୯୩ ଜଣ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।
ଶ୍ରୀ ଶେଜପଡ଼ାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ଝାରପୋଖରିଆ ପଞ୍ଚାୟତ ଅନ୍ଧାରୀ ଗ୍ରାମରେ। ତାଙ୍କ ମାଆ ଚମ୍ପାବତୀ ବାରିକ ଜଣେ ଶିକ୍ଷୟିତ୍ରୀ ଏବଂ ବାପା ରବୀନ୍ଦ୍ରନାଥ ଶେଜପଡ଼ା ଅବସରପ୍ରାପ୍ତ ଶିକ୍ଷକ ଅଟନ୍ତି। ରୁଦ୍ରରଂଜନ ସଂପ୍ରତି ଓଡ଼ିଶାର ସର୍ବାଧିକ ପ୍ରସାରିତ ଖବରକାଗଜ ସମ୍ବାଦର ଉତ୍ତର ଓଡ଼ିଶା ସଂସ୍କରଣରେ ସହ ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍