February 8, 2025

କରୋନା ଟିକା ପ୍ରସ୍ତୁତ କଲେ ମୂଳ ଭାରତୀୟ ବୈଜ୍ଞାନିକ ଭାସନ୍‌ଙ୍କ ଟିମ୍!

ନୂଆଦିଲ୍ଲୀ,୮/୨: ଅଷ୍ଟ୍ରେଲିଆରେ କାର୍ଯ୍ୟରତ ମୂଳ ଭାରତୀୟ ବୈଜ୍ଞାନିକ ଏସ୍‌ଏସ୍ ଭାସନଙ୍କ ନେତୃତ୍ୱରେ ଗଠିତ ଗବେଷକ ଟିମ୍ ମାରାତ୍ମକ କରୋନା ଭୂତାଣୁକୁ ମୁକାବିଲା କରିବା ପାଇଁ ପ୍ରତିଷେଧକ ଟିକା ପ୍ରସ୍ତୁତ କରିଛନ୍ତି। ଅଷ୍ଟ୍ରେଲିଆର ପ୍ରମୁଖ ଗବେଷଣା ସଂସ୍ଥା ‘କମନ୍‌ୱେଲ୍‌ଥ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ଅର୍ଗାନାଇଜେସନ୍’(ସିଏସ୍‌ଆଇଆର୍‌ଓ) ଗବେଷଣାଗାରରେ ବୈଜ୍ଞାନିକ ଭାସନ୍ ଓ ତାଙ୍କ ଟିମ ପ୍ରଥମ ଟିକା ବିକଶିତ କରିଛନ୍ତି। ଏଥିସହ ଉକ୍ତ ପ୍ରତିଷେଧକ ଟିକାର କ୍ଲିନିକାଲ୍ ଟେଷ୍ଟ୍ ପ୍ରକ୍ରିୟା ପ୍ରତି ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଅଷ୍ଟ୍ରେଲିଆନ୍ ଆନିମଲ୍ ହେଲ୍‌ଥ ଲାବ(ଏଏଏଚ୍‌ଏଲ୍‌)ର ସହାୟତା ନିଆଯାଉଛି। କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ ନୂତନ ଟିକା କେତେ ଦୂର ସକ୍ଷମ ହେବ, ତାହା ଦେଖିବା ପାଇଁ ଗବେଷକ ଟିମ୍ ଉତ୍ସାହିତ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ, ବୈଜ୍ଞାନିକ ଭାସନ୍ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ(ଆଇଆଇଏସ୍‌ସି) ଓ ପିଲାନୀସ୍ଥିତ ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ସାଇନ୍ସରୁ ଶିକ୍ଷା ସମାପ୍ତ କରିବା ପରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି।

Spread the love