July 27, 2024

Satya News

odia news channel

ଶିବରାଜଙ୍କ ଉପରେ ଭାରିପଡୁଛନ୍ତି ସିନ୍ଧିଆ ! ନିର୍ବାଚନରେ ହାରି ମଧ୍ୟ ମନ୍ତ୍ରୀମଣ୍ଡଳରେ ରାଜ୍ କରୁଛନ୍ତି ଇମର୍ତ୍ତିଙ୍କ ସମେତ ୩ ମନ୍ତ୍ରୀ

 

ଭୋପାଲ :  ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ପୂର୍ବରୁ ଯାହା କଳ୍ପନା କରାଯାଉଥିଲା ଏବେ ସେଇଆ ହିଁ ହେଲା। ମଧ୍ୟପ୍ରଦେଶରେ ଶିବରାଜ ମୁଖ୍ୟମନ୍ତ୍ରୀ ସତ ହେଲେ ରାଜ କରୁଛନ୍ତି ସିନ୍ଧିଆ। ଗତ ଉପନିର୍ବାଚନରେ ସିନ୍ଧିଆଙ୍କ ସମର୍ଥକଙ୍କ ମଧ୍ୟରୁ ୩ ଜଣ ପରାସ୍ତ ହୋଇଥିଲେ। ତେବେ ବିଜେପିକୁ ସମର୍ଥନ ଲାଗି ସେମାନଙ୍କ ମନ୍ତ୍ରୀପଦ କିନ୍ତୁ ଯାଇ ନାହିଁ।

ଶିବରାଜଙ୍କ ମନ୍ତ୍ରୀମଣ୍ଡଳରେ ଏହି ମନ୍ତ୍ରୀମାନେ ହେଉଛନ୍ତି ଇମର୍ତ୍ତି ଦେବୀ, ଏନ୍ଦଲ ସିଂ କଂସାନା ଓ ଗିରିରାଜ ଦଣ୍ଡୋତିଆ। ଏମାନଙ୍କୁ ମନ୍ତ୍ରୀପଦ ସମକକ୍ଷ କୌଣସି ନିଗମ ଅଥବା ସଂସ୍ଥାର ଅଧ୍ୟକ୍ଷ ନିଯୁକ୍ତି କରିବା ଶିବରାଜଙ୍କ କାମ। ତେବେ ସେମାନଙ୍କ ଥଇଥାନରେ ବିଳମ୍ବ ହେଉଥିବାରୁ ସେମାନେ ଏବେବି ମନ୍ତ୍ରୀ ଭଳି ସମସ୍ତ କ୍ଷମତା ଉପଯୋଗ କରୁଛନ୍ତି।

ନିର୍ବାଚନ ଫଳାଫଳ ଆସିବା ପରେ ପରାଜିତ ୩ ନେତା ସେମାନଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ତେବେ ଜ୍ୟୋତିରାଦିତ୍ୟଙ୍କ ଚାପ ଯୋଗୁ ସେମାନଙ୍କ ଇସ୍ତଫା ଗୃହୀତ ହୋଇ ନଥିବା ବେଳେ ମନ୍ତ୍ରୀଙ୍କ ଭଳି କାର୍ଯ୍ୟ କରୁଛନ୍ତି। ନିକଟରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ଇମର୍ତ୍ତି ଦେବୀଙ୍କୁ ଦେଖାଯାଇଥିଲା।

ଜ୍ୟୋତିରାଦିତ୍ୟ କଂଗ୍ରେସ ହେଉ ଅଥବା ବିଜେପି ଯେଉଁ ଦଳକୁ ଯାଆନ୍ତୁନା କାହିଁକି ସେ ଦଳକୁ ତାଙ୍କ ଅଙ୍ଗୁଳି ଆଗରେ ଚଳାଇବା ନିଶ୍ଟିତ ବୋଲି ପୂର୍ବରୁ କୁହାଯାଉଥିଲା। ଏବେ ଶିବରାଜଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହୋଇଛି। ବାସ୍ତବିକତା ହେଲା ଶିବରାଜ ଅସମୟରେ ପୁଣି ମୁଖ୍ୟମନ୍ତ୍ରୀ ପଦ ଫେରିପାଇଛନ୍ତି। ଯାହା କେବଳ ସିନ୍ଧିଆଙ୍କ ଯୋଗୁ ସମ୍ଭବ ହୋଇପାରିଛି। ନଚେତ କମଲନାଥଙ୍କ ପୂର୍ଣ୍ଣ ବହୁମତ ସରକାର ଗଡାଇବା ଏତେ ସହଜ ନଥିଲା। ଏଣୁ ଶିବରାଜ ମଧ୍ୟ ସିନ୍ଧିଆଙ୍କ କମାଣ୍ଡରେ ଚାଲିବାକୁ ବାଧ୍ୟ ହେଉଥିବା ଏବେ ଚର୍ଚ୍ଚା ହେଉଛି।

Spread the love