July 26, 2024

Satya News

odia news channel

ଟ୍ରାକ୍ଟର ଟ୍ରଲିରେ ବସି ଅନ୍‌ଲାଇନ୍‌ କ୍ଲାସ୍‌ କରୁଛନ୍ତି ଚାଷୀଙ୍କ ପିଲା, ଅପରାହ୍ନରେ ଆନ୍ଦୋଳନରେ ହେଉଛନ୍ତି ସାମିଲ୍‌

 

ନୂଆଦିଲ୍ଲୀ : ବିଭିନ୍ନ ଦାବି ନେଇ ଦିଲ୍ଲୀ ବର୍ଡରରେ ଗର୍ଜୁଛନ୍ତି କୃଷକ। କୃଷକମାନଙ୍କ ସମର୍ଥନରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ। ସରକାରଙ୍କୁ ଲିଖିତ ଦାବି ଦେଇଥିବା କୃଷକ ସଂଗଠନ ଲିଖିତ ଆକାରରେ ପ୍ରତିଶ୍ରୁତି ଅପେକ୍ଷା ମଧ୍ୟ କରିଛନ୍ତି। କିନ୍ଦୁ ଆନ୍ଦୋଳନ ସ୍ଥଳରେ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ପଞ୍ଜାବ ଓ ହରିୟାଣାର କୃଷକ ଆନ୍ଦୋଳନ କରୁଥିବା ବେଳେ ପରିବାରର ଛୋଟ ଛୋଟ ପିଲା ମଧ୍ୟ ସାମିଲ ହୋଇଛନ୍ତି।

ଦିନ ସାରା ଖାଦ୍ୟ ପ୍ରସ୍ତୁତିରେ ସହାୟତା କରୁଥିବା ବେଳେ ପାଠ ମଧ୍ୟ ପଢ଼ୁଛନ୍ତି ଛୋଟ ପିଲା। ଟ୍ରାକ୍ଟର ଟ୍ରଲିରେ ବସି ଅନଲାଇନ୍‌ କ୍ଲାସ କରିବା ପରେ ଆନ୍ଦୋଳନରେ ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳିଛି। ପିଲାମାନେ ଆନ୍ଦୋଳନ ସ୍ଥାନକୁ ଆସିବାର ସ୍ପଷ୍ଟ କାରଣ ଜଣାପଡ଼ିନଥିବା ବେଳେ ଯାହା ବି ହେଉ ପରିବାର ସହ ଛିଡ଼ା ହେବା କର୍ତ୍ତବ୍ୟ ବୋଲି ସେମାନେ କହିଛନ୍ତି।

କୃଷକମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ପରିବାର ସହ ରହିବେ ବୋଲି କିଛି ପିଲା କହିଛନ୍ତି। ପିଲାମନେ ଟ୍ରାକ୍ଟର ଟ୍ରଲିରେ ବସି ଅନଲାଇନ୍‌ କ୍ଲାସ କରୁଛନ୍ତି। ଧରିତ୍ରୀ ଆମର ମା ତେଣୁ ଆନ୍ଦୋଳନକୁ ଆସିଛୁ କିନ୍ତୁ ପଢ଼ା ଛାଡ଼ିପାରିବୁ ନାହିଁ ବୋଲି କିଛି ପିଲା କହିଛନ୍ତି।  ସେପଟେ ବର୍ଡରରେ ନେଟଓ୍ବାର୍କ ମିଳୁନଥିବା ବେଳେ ଅନଲାଇନ୍‌ କ୍ଳାସ କରିବାରେ ଅସୁବିଧା ହେଉଛି। ବେଳେ ବେଳେ ପୁରା କ୍ଲାସ ବି କରିହେଉନି ବୋଲି କିଛି ଛାତ୍ର ଅଭିଯୋଗ କରିଛନ୍ତି।

ପ୍ରତି ଘରୁ ଜଣେ ଲେଖାଏଁ ସଦସ୍ୟ ଆସିବାର ଥିଲା। ଦାଦାଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଛି। ବାପାଙ୍କ ଦେହ ଅସୁସ୍ଥ ଥିବାରୁ ଦାଦାଙ୍କ ସହ ଆସିଥିବା ବେଳେ ଏଠାରେ ହିଁ ପାଠ ପଢ଼ୁଥିବା ଜଣେ ଛାତ୍ର କହିଛନ୍ତି। ନ୍ୟୁଜ୍‌ ୧୮ରେ ପ୍ରକାଶିତ ଏକ ଖବର ଅନୁସାରେ ଜଣେ ଏକାଦଶ ଶ୍ରେଣୀର ଛାତ୍ର କହିଛନ୍ତି, ଚାଷରେ ପରିବାରକୁ ସହାୟତା କରେ। ଆଗକୁ ମୋତେ ଚାଷ କାମ ବୁଝିବାକୁ ପଡ଼ିବ। କରୋନା କାଳରେ ପାଠ ପଢ଼ା ତ ଗୋଟିଏ ପ୍ରକାର ବନ୍ଦ ରହିଛି। ଫେରିବା ପରେ ମଧ୍ୟ ଅନଲାଇନ୍‌ କ୍ଲାସ କରିପାରିବି। ଏବେ ପରିବାର ଓ ନିଜ ଚାଷ ପାଇଁ ଏଠାକୁ ଆସିଛି। ଆମ ପାଠ ପଢ଼ାକୁ ନେଇ ଏତେ ଚିନ୍ତା ଯଦି ସରକାର ଆମ ଦାବି ପୂରଣ କରନ୍ତୁ ବୋଲି ଛାତ୍ର ଜଣଙ୍କ କହିଛନ୍ତି।

Spread the love