January 16, 2025

କରୋନା ଆତଙ୍କ: ଦିଲ୍ଲୀ ହସ୍ପିଟାଲରେ ୬ ସନ୍ଦିଗ୍ଧ ରୋଗୀ

ନୂଆଦିଲ୍ଲୀ,୧/୨: କରୋନା ସନ୍ଦେହରେ ଶୁକ୍ରବାର ୬ ଜଣଙ୍କୁ ଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ସେମାନଙ୍କର ସ୍ୱାସ୍ଥ୍ୟ ରିପୋର୍ଟକୁ ଅପେକ୍ଷା କରିଛନ୍ତି। କେରଳରୁ ଗୁରୁବାର ପ୍ରଥମ କରୋନା ରୋଗୀ ଚିହ୍ନଟ କରାଯାଇଥିବାବେଳେ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ପ୍ରବଳ ଜ୍ୱରରେ ପୀଡ଼ିତ ହେବାସହ ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିବା ପରେ ସମ୍ପୃକ୍ତ ରୋଗୀମାନେ ଖୋଦ୍ ଡାକ୍ତରଖାନାକୁ ଆସିଥିବା ସୂଚନା ମିଳିଛି। ପୀଡ଼ିତ ୫ ଜଣଙ୍କ ମଧ୍ୟରୁ ଜନୈକା ୨୪ ବର୍ଷୀୟା ଯୁବତୀ ୨୦୧୫ରୁ ଚୀନ୍‌ରେ ରହୁଥିବାବେଳେ ଜାନୁଆରୀ ୨୯ରେ ଭାରତକୁ ଫେରିଥିଲେ। ୪୫ ବର୍ଷୀୟ ଅନ୍ୟ ଜଣେ ପୀଡ଼ିତ ଜାନୁଆରୀ ୨୩ରେ ଭାରତକୁ ଫେରିଥିଲେ। ଅନ୍ୟଜଣେ ୩୫ ବର୍ଷୀୟ ଭାରତୀୟ ଚୀନ୍‌ରେ ୭ ବର୍ଷ ଧରି ରହିଥିବାବେଳେ କରୋନା ଭୟରେ ଜାନୁଆରୀ ୨୮ରେ ଭାରତକୁ ଫେରିଥିଲେ। ୧୯ ବର୍ଷୀୟ ଜନୈକ ଭାରତୀୟ ୨୦୧୯ ନଭେମ୍ବରରେ ଚୀନ୍‌କୁ ଯାଇଥିଲବେଳେ ଜାନୁଆରୀ ୨୫ରେ ଭାରତରେ ପହଞ୍ଚିଥିଲେ। ଅନ୍ୟଜଣେ ୩୪ ବର୍ଷୀୟ ବ୍ୟକ୍ତି ଚୀନ୍‌ରେ ଦୀର୍ଘ ୧୦ ବର୍ଷ ଧରି ରହିଥିଲେ ମଧ୍ୟ କରୋନା ଭୟରେ ଜାନୁଆରୀ ୨୮ରେ ଭାରତ ଫେରିଥିଲେ। ଉପରୋକ୍ତ ପୀଡ଼ିତଙ୍କୁ ବାଦ୍‌ଦେଲେ ଅନ୍ୟ ଜଣେ ୩୨ ବର୍ଷୀୟ ବ୍ୟକ୍ତି ଜାନୁଆରୀ ୪ରୁ ୧୧ ପର୍ଯ୍ୟନ୍ତ ଚୀନ୍ ଗସ୍ତରେ ଯାଇଥିଲେ। ସୂଚନାଯୋଗ୍ୟ, ଭାରତରେ କରୋନା ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ୟାବିନେଟ୍ ସଚିବ ରାଜୀବ ଗୌବା ଗୁରୁବାର ବୈଦେଶିକ ବ୍ୟାପାର ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପ୍ରତିରକ୍ଷା ବିଭାଗ, ସ୍ୱରାଷ୍ଟ୍ର ବ୍ୟାପାର, ବେସାମରିକ ବିମାନ ଚଳାଚଳ ବିଭାଗ, ସୂଚନା ଓ ପ୍ରସାରଣ ବିଭାଗ, ଶ୍ରମ ଓ ନିୟୋଜନ ସମେତ ଜାହାଜ ଚଳାଚଳ ବିଭାଗକୁ ଚିଠି ଲେଖି କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ସହ ସେ ଭିଡିଓ କନ୍‌ଫରେନ୍ସିଂରେ କଥା ହୋଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ସୁଦ୍ଧା ଦେଶରେ ୬ଟି କରୋନା ନିରୂପଣ ଲାବ କାର୍ଯ୍ୟାରମ୍ଭ କରିଛି। ଭାରତର ୨୧ଟି ବନ୍ଦର, ବିମାନ ବନ୍ଦର, ସୀମାନ୍ତ ଫାଟକ ନିକଟରେ ରୋଗୀଙ୍କୁ ୨୪ ଘଣ୍ଟିଆ ଯାଞ୍ଚ ବନ୍ଦୋବସ୍ତ ମଧ୍ୟ କରାଯାଇଛି।

Spread the love