ଭୁବନେଶ୍ୱର,ସମ୍ବଲପୁର,୫/୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ବୁଧବାର ସମଗ୍ର ପଶ୍ଚିମ ଓଡ଼ିଶାରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ଏହି ୧୨ ଘଣ୍ଟିଆ ବନ୍ଦ ପାଳନକୁ ଲୋକେ ସ୍ୱତଃସ୍ଫୂର୍ତ୍ତ ଭାବେ ସମର୍ଥନ କରିଥିବା ଦେଖାଯାଇଛି। ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଭଳି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସମସ୍ତ ସରକାରୀ ଓ ବେସକାରୀ କାର୍ଯ୍ୟାଳୟ, କୋର୍ଟ କଚେରି, ସ୍କୁଲ କଲେଜ ଓ ଛୋଟବଡ଼ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି। କେବଳ ଡାକ୍ତରଖାନା ଓ ଔଷଧ ଦୋକାନ ସବୁ ଜରୁରୀକାଳୀନ ସେବା ନିମନ୍ତେ ଖୋଲା ରହିଛି। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଏହି ବନ୍ଦ ଡାକରାକୁ ସମର୍ଥନ କରୁଥିଲେ ମଧ୍ୟ ସେଠାରେ କେବଳ କୋର୍ଟ ଓ କଚେରି ବନ୍ଦ ରହିଛି। ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲା ମଧ୍ୟକୁ ଓ ଜିଲ୍ଲା ବାହାରକୁ ସଡ଼କ ଓ ରେଳପଥରେ କୌଣସି ଯାନବାହନ ଚଳାଚଳ କରୁନାହିଁ। ସମ୍ବଲପୁର ଓକିଲ ସଂଘ ପକ୍ଷରୁ ସକାଳୁ ସମ୍ବଲପୁର ଜଙ୍କ୍ସନ୍ ଏବଂ ସମ୍ବଲପୁର ସିଟି ଷ୍ଟେସନ୍ରେ ରେଳରୋକ କରାଯାଇଛି। ସକାଳ ୬ଟାଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବାକୁ ଥିବା ଏହି ବନ୍ଦକୁ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ଓ ବିଭିନ୍ନ ଆଞ୍ଚଳିକ ସଂଗଠନ ସମର୍ଥନ କରୁଛନ୍ତି।
ଅପରପକ୍ଷରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଭୁବନେଶ୍ୱର ଶାଖା ପକ୍ଷରୁ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ପାଳନକୁ ସମର୍ଥନ କରାଯାଇଛି। ଓକିଲ ସଂଘ ଦେଇଥିବା ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ ପ୍ରଥମେ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଲୋୟର୍ ପିଏମ୍ଜିରେ ଶୋଭାଯାତ୍ରା ଓ ପରେ ଧାରଣା ଦିଆଯାଇଥିଲା। ଏଥିରେ ଶତାଧିକ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ। ସୂଚନାଯୋଗ୍ୟ, ଦୀର୍ଘ ୧୬ ବର୍ଷ ହେଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ହୋଇଆସୁଛି। ମାତ୍ର ସର୍ବଦା ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଥିବା ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ କୁହାଯାଇଛି। ଉକ୍ତ ଅଞ୍ଚଳର ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଦୀର୍ଘଦିନରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ ହୋଇଆସୁଥିଲେ ବି ସେଥିପ୍ରତି ଦୃଷ୍ଟି ଦିଆନଯିବାକୁ ମଞ୍ଚ ଦୃଢ଼ ନିନ୍ଦା କରିଛି। ଏଥିସହ କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ପଶ୍ଚିମ ଓଡ଼ିଶା ଓକିଲ ସଙ୍ଘ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଓଡ଼ିଶା ଓକିଲ ସଂଘ ଦ୍ୱାରା ଦିଆଯାଇଥିବା ଚେତାବନୀକୁ ବିରୋଧ କରି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବାବେଳେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଓକିଲ ସଂଘକୁ ସମର୍ଥନ ଜଣାଉଥିବା ସ୍ପଷ୍ଟ କରିଛି। ସେପଟେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ପଶ୍ଚିମ ଓଡ଼ିଶା ଓକିଲ ସଂଘ ଏବଂ ଜନମାନସରେ ମନୋଭାବ ସଞ୍ଚାର ହୋଇଥିବାବେଳେ ‘ସ୍ୱତନ୍ତ୍ର କୋଶଳ ରାଜ୍ୟ’ ହିଁ ଏକମାତ୍ର ବିକଳ୍ପ ବୋଲି ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ପକ୍ଷରୁ କୁହାଯାଇଛି। ଆଜିର ଆନ୍ଦୋଳନରେ ଯୁବା ମଞ୍ଚର ଆବାହକ ଅଜିତ କୁମାର ପତିଙ୍କ ସମେତ ସିଦ୍ଧାର୍ଥ ପତି, ଅରବିନ୍ଦ ତ୍ରିପାଠୀ, ନରେଶ ପଧାନ, ସୁମନ୍ତ ଶତପଥୀ, ଅଭିଷେକ ଦାଶ, ରଞ୍ଜନ ସାହୁ, ହିମାଂଶୁ କର୍ମି ଏବଂ ସୁବ୍ରତ ପଧାନ ପ୍ରମୁଖ ସାମିଲ ହୋଇଥିଲେ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ