February 9, 2025

‘ସୂରଜ ଯୋଜନା’ରେ ସମ୍ମାନିତ ହେବେ ପ୍ରିୟଙ୍କାରାଣୀଙ୍କ ପରିବାର

ଭୁବନେଶ୍ୱର,୫/୨: କିଡ୍‌ନି ଦାନ କରିଥିବା ଦିବଂଗତ ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଉକ୍ତ କିଡ୍‌ନିକୁ କଟକ ବଡ଼ ଡାକ୍ତରଖାନା ଓ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଦୁଇଜଣ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇ ସେମାନଙ୍କ ଜୀବନ ରକ୍ଷା କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନା ଥିବା ଦିବଂଗତ ପ୍ରିୟଙ୍କାଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ତୁଲାଇବେ ବୋଲି ସେ ପ୍ରକାଶ କରିଛନ୍ତି। ସଫଳ କିଡ୍‌ନି ପ୍ରତିରୋପଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଓ ହସ୍ପିଟାଲର ସମସ୍ତ ଡାକ୍ତର ଏବଂ ତାଙ୍କ ଟିମ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ଆପୋଲୋ ହସ୍ପିଟାଲରେ ‘ବ୍ରେନ୍‌ ଡେଡ୍‌’ ଘୋଷିତ ପ୍ରିୟଙ୍କାରାଣୀ ପାତ୍ରଙ୍କ ଶରୀରରୁ ଗୋଟାଏ କିଡ୍‌ନି ବାହାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଜଣେ ପୁରୁଷ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଅନ୍ୟ ଏକ କିଡ୍‌ନି ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଜଣେ ପୁରୁଷ ରୋଗୀଙ୍କଠାରେ ପ୍ରତିରୋପଣ କାଯାଇଛି। ଅନ୍ୟପକ୍ଷରେ ଏହା ଓଡ଼ିଶାରେ ପ୍ରଥମ ‘କେଡାଭେରିକ୍‌ ଟ୍ରାନ୍‌ସ୍‌ପ୍ଲାଣ୍ଟେସନ୍‌’ ଘଟଣା ବୋଲି ଜଣାପଡିଛି।

Spread the love