April 26, 2024

Satya News

odia news channel

ଦାନ ଦେଇ ବିବାଦରେ ଫସିଲେ ଡିକେ ଶିବକୁମାର । ଜାଣନ୍ତୁ କାହାକୁ କ’ଣ ଦାନ କଲେ ଏହି ପ୍ରଭାବଶାଳୀ କଂଗ୍ରେସ ନେତା

      ଦାନ ଦେଇ ବିବାଦରେ ଶିବକୁମାର

ବେଙ୍ଗାଲୁରୁ, ୨୭/୧୨: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ପ୍ରଭାବଶାଳୀ କଂଗ୍ରେସ ନେତା ଡିକେ ଶିବକୁମାର ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବଦାନ୍ୟତା ଦେଖାଇଛନ୍ତି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । କର୍ନାଟକରେ ୧୧୪ ଫୁଟ ଉଚ୍ଚତା ବିଶିଷ୍ଟ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଲାଗି ସେ ଜମି ଦାନ କରିଛନ୍ତି । ଶାସକ ଭାଜପା ଏହାକୁ ତୁଷ୍ଟୀକରଣ ରାଜନୀତି ଭାବେ ଅଭିହିତ କରିଥିବାବେଳେ ବି.ଏସ ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ନିର୍ଦ୍ଧାରିତ ଜମିକୁ ନେଇ ରିପୋର୍ଟ ମାଗିଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ବିବାଦୀୟ ନେତା ଅନନ୍ତ କୁମାର ହେଗଡେ କହିଛନ୍ତି, ତିହାର ଜେଲରୁ ଫେରିଥିବା ଜଣେ ମହାନ ମଣିଷ ପଦବୀ ପାଇବା ଆଶାରେ ଇଟାଲୀୟ ମହିଳା (କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ)ଙ୍କୁ ଖୁସି କରିବା ପାଇଁ ଏକ ବିଶାଳ ଯୀଶୁ ମୂର୍ତ୍ତି ସ୍ଥାପନ କରୁଛନ୍ତି । କଂଗ୍ରେସର ଆଉ କେତେଜଣ ଦାସ ତୁଷ୍ଟୀକରଣ ରାଜନୀତି ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ରାଜସ୍ୱ ମନ୍ତ୍ରୀ ଆର୍. ଆଶୋକା କହିଛନ୍ତି, ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଯେଉଁ ଜମି କିଣାଯାଇଛି, ତାହା ଶିବକୁମାରଙ୍କର ନୁହେଁ । ତାହା ସରକାରଙ୍କ ଗୋଚର ଜମି ହୋଇଥିବାରୁ ସେ ଦାନ କରିପାରିବେ ନାହିଁ । ତେଣୁ ଉକ୍ତ ଜମିକୁ ନେଇ ରିପୋର୍ଟ ମଗାଯାଇଛି । କନକପୁରା ଅନ୍ତର୍ଗତ ହରୋବେଲେର ଖ୍ରୀଷ୍ଟିୟାନ ବହୁଳ ଗ୍ରାମ କପାଲୀବେଟ୍ଟାରେ ୧୩ ଫୁଟ ଉଚ୍ଚର ମଣ୍ଡପରେ ୧୦୧ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି । କନକପୁରା ହେଉଛି ଶିବକୁମାରଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ । ଶିବକୁମାର ନିଜ ପାଣ୍ଠିରୁ କପାଲୀବେଟ୍ଟାରେ ଟ୍ରଷ୍ଟ ପାଇଁ ସରକାରଙ୍କଠାରୁ ୧୦ ଏକର ଜମି କିଣିଥିଲେ । ସେହି ଟ୍ରଷ୍ଟ ଯୀଶୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଉଥିବା ଶିବକୁମାରଙ୍କ ଅଫିସ ପକ୍ଷରୁ କୁହାଯାଇଛି । ଏହି ପ୍ରତିମୂର୍ତ୍ତ ବିଶ୍ୱରେ ଯୀଶୁଙ୍କ ସବୁଠୁ ବଡ଼ ଏକାଶ୍ମ (ବୃହତ ସ୍ତମ୍ଭାକାର ପ୍ରସ୍ତର) ପ୍ରତିମା ହେବ ବୋଲି ଦାବି କରାଯାଉଛି । ସେ ଡିସେମ୍ବର ୨୫ ବଡ଼ଦିନରେ ଏକ ପ୍ରାର୍ଥନା ସଭାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରି ଏହି ପ୍ରକଳ୍ପର ଦଲିଲ ହସ୍ତାନ୍ତର କରିଥିଲେ । ଶିବକୁମାର କହିଛନ୍ତି, ତାଙ୍କ ନିର୍ବାଚନମଣ୍ଡଳୀରେ ଶତାଧିକ ମନ୍ଦିର ନିର୍ମାଣ କରାଯାଇଛି । ସେ ନିଜ ପ୍ରଚାରପ୍ରସାର ପାଇଁ ଏପରି କରୁନାହାନ୍ତି । କେବଳ ଦୁଇବର୍ଷ ପୂର୍ବେ ଦେଇଥିବା ପ୍ରତିଶ୍ରୁତିକୁ ଏବେ ପାଳନ କରୁଛନ୍ତି । ତେଣୁ ଏହାକୁ ନେଇ ରାଜନୀତି ନ ହେଉ ।

Spread the love