March 27, 2024

Satya News

odia news channel

ବସରେ ବିଦ୍ୟୁତ ତାର ଲାଗି ୧୧ଜଣଙ୍କ ମୃତ୍ୟୁ: ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ, ୨ ଲକ୍ଷ କ୍ଷତିପୂରଣ ଘୋଷଣା

ଭୁବନେଶ୍ବର,୯/୨: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବସ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ୧୧ଜଣଙ୍କ ମୃତ୍ୟୁ ଘଟଛି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ପର୍କରେ ସେ କହିଛନ୍ତି, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ତଦନ୍ତ ହେବ। ଯେଉଁମାନେ ଏଭଳି ଘଟଣା ପାଇଁ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।  ଏଥିସହ ମୁଖ୍ୟମନ୍ତ୍ରୀ ଆହତମାନଙ୍କୁ ମାଗଣାରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବସରେ ବିଦ୍ୟୁତ ଆଘାତରେ ୧୧ ଜଣଙ୍କ  ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସେ ସମବେଦନା ଜଣାଇଛନ୍ତି। ମୃତାହତଙ୍କ ଖବର ଶୁଣି ଗଭୀର ଭାବେ ଦୁଃଖିତ ଥିବା ସେ କହିଛନ୍ତି। ଏହା ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ମଧ୍ୟ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ସୂଚନାନୁଯାୟୀ, ରବିବାର ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାଙ୍କୁଲୁପାଡୁ ଗାଁ’ର ଏକ ବରପକ୍ଷର ୪୩ ଜଣ ବ୍ୟକ୍ତି ଏକ ବସ୍‌ରେ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ କନ୍ୟାଘର ଶିଖରଡ଼ା ଅଭିମୁଖେ ଯାଉଥିଲେ। ଯିବା ବାଟରେ ନେନ୍ଦ୍ରାଜପୁରଠାରେ ବସ୍‌ଟି ରାସ୍ତାରେ ଅଳ୍ପ ଉଚ୍ଚରେ ଝୁଲି ଥିବା ଏକ ୧୧ କେଭିର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ସମଗ୍ର ବସ୍‌ରେ ବିଦ୍ୟୁତ୍‌ କରେଣ୍ଟ୍‌ ପ୍ରବାହିତ ହୋଇଥିଲା। ବିଦ୍ୟୁତ୍‌ କରେଣ୍ଟ ଆଘାତରେ ଘଟଣାସ୍ଥଳରେ ୬ ଜଣଙ୍କର ଜୀବନ ଚାଲି ଯାଇଥିବାବେଳେ ଅନ୍ୟ ୫ ଜଣ ଗୁରୁତର ହୋଇପଡ଼ିଥିଲେ। ଗୁରୁତର ୫ ଜଣଙ୍କୁ ହସ୍ପିିଟାଲ୍‌ ନିଆ ଯାଉଥିବା ବାଟରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏମାନଙ୍କ ବ୍ୟତୀତ ଏହି ଘଟଣାରେ ବସ୍‌ରେ ଥିବା ଅନ୍ୟ ୩୦ ଜଣ ବ୍ୟକ୍ତି ମଧ୍ୟ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁରର ଏମେ୍‌କସିଜି ମେଡିକାଲ୍‌ କଲେଜ ହସ୍ପିଟାଲରେ ଓ ତେନ୍ତୁଆପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମୃତକମାନେ ହେଲେ ବି.ରମେୟା, ବି ଅଚୁଲ୍‌, କାମରାଜୁ, ବି.ତାରିଣୀ, କେ.ସଞ୍ଜୁ, ବି.ମୋହିନୀ, ବି. କନକେୟ, ସନ୍ତୋଷୀ ସାହୁ ବୋଲି ଜଣାପଡ଼ିଛି। ଅବଶିଷ୍ଟ ମୃତକଙ୍କ ନାମ ଏଯାଏଁ ହସ୍ତଗତ ହୋଇନାହିଁ। ସୂଚନାଯୋଗ୍ୟ, ମେଲପତୁରୁ ଗାଁ ନିକଟରେ ୧୧ କେଭି  ବିଦ୍ୟୁତ ତାର ଦୀର୍ଘ ଦିନରୁ ବିପଜ୍ଜନକ ଭାବେ ତଳକୁ ଓହଳି ଥିଲା। ଏହାକୁ ଉପରକୁ ଉଠାଇବାକୁ  ଗାଁ ଲୋକେ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ। ମାତ୍ର ବିଦ୍ୟୁତ ବିଭାଗ ଏଥିପ୍ରତି ନଜର ଦେଉ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସେପଟେ ‘ସାଉଥ୍-କୋ’ର ଏକ ଉଚ୍ଚସ୍ତରୀୟ ଟିମ୍ ଘଟଣାସ୍ଥଳକୁ ପଠାଯାଇଛି। ବସରେ କେମିତି ଲାଗିଲା କରେଣ୍ଟ, ସେମାନେ ତଦନ୍ତ କରି ରିପୋର୍ଟ ଦେବାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓପିଟିସିଏଲ ସିଏମଡି ସୌରଭ ଗର୍ଗ କହିଛନ୍ତି।

Spread the love