March 28, 2024

Satya News

odia news channel

ମହାରାଣୀ ଏଲିଜାବେଥଙ୍କୁ ଅବଜ୍ଞା

ମହାରାଣୀ ଏଲିଜାବେଥଙ୍କୁ ଅବଜ୍ଞା
ରାଜକୀୟ ଦାୟିତ୍ୱରୁ ମୁକ୍ତ ହେଲେ ହେରି ଓ ମେଘାନ
ଆର୍ଥିକ ସ୍ୱାଧୀନତା ପାଇଁ ନେଲେ ଏହି ପଦକ୍ଷେପ

ଲଣ୍ଡନ, ୯/୧: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ନାତି ପ୍ରିନ୍ସ ହେରି ଓ ତାଙ୍କ ସହଧର୍ମିଣୀ ମେଘାନ ରାଜପରିବାରରେ ବରିଷ୍ଠ ସଦସ୍ୟ ଭାବେ ରହିବାକୁ ଚାହୁଁ ନାହାନ୍ତି । ସସେକ୍ସର ଡ ୁ୍ୟକ ଓ ଡଚେସ ଏକ ବିବୃତିରେ କରିଛନ୍ତି ଯେ ଉଭୟେ ରାଜପରିବାରର ବରିଷ୍ଠ ସଦସ୍ୟ ଭୂମିକାରୁ ନିଜକୁ ପୃଥକ କରୁଛନ୍ତି । ଦୁହେଁ ଏବେ ନିଜକୁ ଆର୍ଥିକ ଭାବେ ସ୍ୱାଧୀନ କରିବା ପାଇଁ ପ୍ରୟାସ କରିବେ । ସେମାନେ ବ୍ରିଟେନ ଓ ଉତ୍ତର ଆମେରିକାରେ ନିଜ ସମୟ ଅତିବାହିତ କରିବେ । ଏହି ଘୋଷଣା ପରେ ବ୍ରିଟେନ ରାଜ ପରିବାର ଚକିତ ହୋଇପଡ଼ିଛି । ପରିବାରର ଅନେକ ବରିଷ୍ଠ ସଦସ୍ୟଙ୍କୁ ଏହା ନିରାଶ କରିଛି । କାରଣ ହେରି ଓ ମେଘାନ ଏତେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ରାଜ ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ନେଇ ନଥିଲେ । ମହାରାଣୀ ଏଲିଜାବେଥ ଯେତେବେଳେ ଏହି ଅପ୍ରତ୍ୟାଶିତ ପଦକ୍ଷେପ ସମ୍ପର୍କରେ ଜାଣିଲେ ପ୍ରିନ୍ସ ହେରିଙ୍କୁ ନିଷ୍ପତ୍ତି ଘୋଷଣା ନକରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ହେରି ମହାରାଣୀଙ୍କ କଥା ବି ଶୁଣି ନ ଥିଲେ । ନିଜ ଇନଷ୍ଟାଗ୍ରାମ ପେଜରେ ମଧ୍ୟ ଦୁହେଁ ପୋଷ୍ଟ କରିଥିଲେ । ଆମେ ଦୁହେଁ ଅନେକ ମାସ ଧରି ବିଚାରବିମର୍ଶ କରିବା ପରେ ଏହି ନିଷ୍ପତ୍ତି ନେଇଛୁ । ରାଜ ପରିବାରର ସଦସ୍ୟ ଭାବେ କର୍ତ୍ତବ୍ୟ ସମ୍ପାଦନ ନ କଲେ ମଧ୍ୟ ମହାରାଣୀଙ୍କ ପ୍ରତି ଆମର ସମର୍ଥନ ବଜାୟ ରହିବ । ରାଜପରିବାରର ଜଣେ ପ୍ରବକ୍ତା କହିଛନ୍ତି, ଡୁ୍ୟକ ଓ ଡଚେସ ଅଫ ସସେକ୍ସଙ୍କ ସହ ଏହି ନିଷ୍ପତ୍ତି ଉପରେ ପ୍ରାରମ୍ଭିକ ଆଲୋଚନା ଚାଲିଥିଲା । ଏକ ଅନ୍ୟ ବିକଳ୍ପ ଖୋଜିବା ପାଇଁ ଦୁହିଙ୍କ ଇଚ୍ଛାକୁ ଆମେ ବୁଝିପାରୁଛୁ । କିନ୍ତୁ ଏହି ସବୁ ଭଲ ଲାଗୁନାହିଁ । ରାଜପରିବାରର ପୂର୍ବତନ ପ୍ରେସ ଅଧିକାରୀ ଡିକ୍କି ଅର୍ବିଟରଙ୍କ ଅନୁସାରେ ପ୍ରିନ୍ସ ହେରି ନିଜ ମସ୍ତିସ୍କ ପରିବର୍ତ୍ତେ ହୃଦୟର କଥାକୁ ଶୁଣିଛନ୍ତି । ତାଙ୍କ ପୁଅ ଆର୍ଚି ଜନ୍ମ ହେବାବେଳେ ମିଡିଆ ତାଙ୍କ ସହ ଯେପରି ବ୍ୟବହାର କରିଥିଲା, ତାହା ତାଙ୍କର ଏହି ନିଷ୍ପତ୍ତିର ଏକ କାରଣ ହୋଇଥାଇପାରେ । ଏହି ଅବସରରେ ଅର୍ବିଟର ପ୍ରିନ୍ସ ହେରିଙ୍କ ସଦ୍ୟ ନିଷ୍ପତ୍ତିକୁ ୧୯୩୬ରେ ଏଡୱାର୍ଡ-୮ଙ୍କ ନିଷ୍ପତ୍ତି ସହ ତୁଳନା କରିଛନ୍ତି । ଏଡୱାର୍ଡ-୮ ଦୁଇଥର ଛାଡ଼ପତ୍ର ପାଇଥିବା ୱାଲିସ ସମ୍ପସନଙ୍କୁ ବିବାହ କରିବା ଲାଗି ରାଜ ସିଂହାସନ ଛାଡ଼ିଦେଇଥିଲେ ।
ସୂଚନାଯୋଗ୍ୟ ପ୍ରିନ୍ସ ହେରିଙ୍କୁ ତାଙ୍କ ମା’ ପ୍ରିନ୍ସେସ ଡାଏନାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ବିପୁଳ ସମ୍ପତ୍ତି ମିଳିଥିଲା । ମେଘାନ ମଧ୍ୟ ଜଣେ ମଡେଲ-ଅଭିନେତ୍ରୀ ଭାବେ ବହୁ ଅର୍ଥ ଆୟ କରିଥିଲେ । ଦୁହେଁ ପରସ୍ପରର ଜୀବନସାଥୀ ପାଲଟିଥିଲେ ୨୦୧୮ ମେ ୧୯ରେ ।
Spread the love