March 28, 2024

Satya News

odia news channel

ମାଟ୍ରିକ୍ ପ୍ରସ୍ତୁତି: ପ୍ରଶ୍ନପତ୍ର ଭାଇରାଲ ହେଲେ ଅଧଘଣ୍ଟାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୪/୨: ଆସନ୍ତା ୧୯ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଚଳିତବର୍ଷ କୌଣସି ସ୍କୁଲରେ ଯେପରି କୌଣସି ପିଲା ଫେଲ୍ ନହୁଅନ୍ତି ସେଥିପାଇଁ ମିଶନ ଜିରୋ ଏଫ୍ ପାଇଁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏଥିସହ ପ୍ରଶ୍ନପତ୍ର ସୁରକ୍ଷା ଏବଂ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପ୍ରଶ୍ନପତ୍ରରେ ଇନ୍‌ଭିଜିବୁଲ କୋଡ ରହିବ। ଫଳରେ ସେଣ୍ଟରରୁ ପ୍ରଶ୍ନପତ୍ର ଭାଇରାଲ ହେବ ତାହା କେଉଁଠୁ ଏବଂ କେଉଁ ମୋବାଇଲ୍‌ରେ ଫଟୋ ଉଠିଛି ତାହା ଜଣାପଡ଼ିବ। ଏଭଳି ଘଟଣାରେ ଅଧଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏହାବ୍ୟତୀତ ସବୁ ପରୀକ୍ଷାକେନ୍ଦ୍ରରେ ପାଚେରୀ, ମୁଖ୍ୟ ଫାଟକ ସମେତ ଶ୍ରେଣୀରେ ସିସି କ୍ୟାମେରା, ପ୍ରଶ୍ନପତ୍ର ରଖିବା ଲାଗି ଡିଜିଟାଲ ଲକର ବ୍ୟବସ୍ଥା ଆଦିର ଅନୁଧ୍ୟାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁସବୁ ସ୍କୁଲରେ ଅଧିକ କପି ହେଉଥିବାର ଅଭିଯୋଗ ରହିଛି, ସେଠାରେ ଏଥର ଅଧିକ କଟକଣା ଲାଗୁ କରାଯିବ। କୋଶ୍ଚିନ୍ ହବ୍‌ରେ ପ୍ରଶ୍ନପତ୍ର ରଖିବା ଲାଗି କରାଯାଇଥିବା ସ୍ୱତନ୍ତ୍ର ଲକରର ଯାଞ୍ଚ କରାଯାଉଛି। ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲିବାଠାରୁ ପରୀକ୍ଷା ଶେଷ ହେବା ପରେ ଉତ୍ତରଖାତା ପ୍ୟାକିଂ କରିବା ପର୍ଯ୍ୟନ୍ତ ସବୁ କିଛି ପରୀକ୍ଷାକେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଓ ୨ଜଣ ପରୀକ୍ଷା ଅଧିକାରୀଙ୍କ ଉପସ୍ଥିତିରେ କରାଯିବ। ଏହବ୍ୟତୀତ ଏହି ପ୍ରକ୍ରିୟାକୁ ମଧ୍ୟ ସିସି କ୍ୟାମେରା ସମ୍ମୁଖରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷାରେ କୌଣସି ଅବ୍ୟବସ୍ଥା ଏବଂ ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମାଟ୍ରିକ ପରୀକ୍ଷାରେ ଆବଶ୍ୟକ ସଂସ୍କାର ଅଭାବରୁ ଅନେକ ବ୍ୟତିକ୍ରମ ସୃଷ୍ଟି ହେଉଥିଲା।

Spread the love