April 17, 2024

Satya News

odia news channel

ବର୍ତ୍ତି ପାରିବେନି ବଳାତ୍କାରୀ, ବାହାନା ଶୁଣିଲେନି ସୁପ୍ରିମକୋର୍ଟ: ଫାଶୀ ଥୟ, ୨୨କୁ ଅପେକ୍ଷା

ଫାଶୀ ଥୟ, ୨୨କୁ ଅପେକ୍ଷା
ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୁଇ ଦୋଷୀ ବିନୟ କୁମାର ଓ ମୁକେଶ ସିଂଙ୍କ କ୍ୟୁରେଟିଭ ପିଟିଶନ (ସୁଧାରାତ୍ମକ ଆବେଦନ) ସୁପ୍ରିମକୋର୍ଟରେ ଖାରଜ ହେବା ପରେ ସେମାନଙ୍କୁ ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବା ପାଇଁ ପଥ ପରିଷ୍କାର ହୋଇଛି । ଉଭୟେ ନିଜକୁ ସ୍ୱଳ୍ପ ବୟସ୍କ, ଜେଲରେ ନିଜ ଆଚରଣ ଓ ପରିବାର ଲୋକଙ୍କ ନିର୍ଭରଶୀଳତା ଆଦି ପ୍ରସଙ୍ଗ ଉଠାଇ ଶୀର୍ଷ ଅଦାଲତଙ୍କୁ ଜୀବନ ଭିକ୍ଷା ମାଗିଥିଲେ । ଏହାସହ ଦୁହିଁଙ୍କ ଓକିଲ ପୂର୍ବରୁ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରାଯାଇଥିବା ୧୭ଟି ବଳାତ୍କାର-ହତ୍ୟା ମାମଲାର ଅବତାରଣା କରିଥିଲେ । ହେଲେ ଜଷ୍ଟିସ ଏନ.ଭି. ରମନ୍ନାଙ୍କ ନେତୃତ୍ୱାଧୀନ ୫ ଜଣିଆ ଖଣ୍ଡପୀଠ ସେମାନଙ୍କ ବାହାନା ନଶୁଣି କୁରେଟିଭ ପିଟିଶନକୁ ଖାରଜ କରିଦେଇଛନ୍ତି । ଫଳରେ ଦୁହେଁ ଏବେ କେବଳ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ କରିପାରିବେ । ତେବେ ଏହି ବିକଳ୍ପ ମଧ୍ୟ ସେମାନଙ୍କ ପାଇଁ ଫଳପ୍ରଦ ହେବା ଭଳି ଆଶା ଦିଶୁନାହିଁ । ଏହି ଦୁଇଜଣଙ୍କ ସହ ଅକ୍ଷୟ ଠାକୁର ଓ ପବନ ଗୁପ୍ତାଙ୍କୁ ମଧ୍ୟ ସମାନ ସମୟରେ ଫାଶୀଖୁଣ୍ଟରେ ଝୁଲାଯିବ । ସୂଚନାଯୋଗ୍ୟ, ଜାନୁୟାରୀ ୭ରେ ଦିଲ୍ଲୀର ପଟିଆଲା ହାଉସକୋର୍ଟ ଏହି ୪ ଜଣଙ୍କୁ ୨୨ ତାରିଖରେ ତିହାର ଜେଲରେ ଫାଶୀ ଦେବା ପାଇଁ ଡେଥ ୱାରେଣ୍ଟ ଜାରି କରିଥିଲେ ।
Spread the love