April 25, 2024

Satya News

odia news channel

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬/୧: ୭୧ତମ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆମ ସମ୍ବିଧାନ ସମସ୍ତ ନାଗରିକଙ୍କୁ ସ୍ୱାଧୀନ ଗଣତନ୍ତ୍ରର ଅଧିକାର ଦେଇଛି। ତଦନୁଯାୟୀ ଆମ ସମସ୍ତେ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ ପ୍ରତି ସର୍ବଦା ସଂକଳ୍ପବଦ୍ଧ ରହିବା ଏଥିସହ ଜନମଙ୍ଗଳ ପାଇଁ ସରକାର ଚଳାଇଥିବା ବିଭିନ୍ନ ଅଭିଯାନରେ ନାଗରିକମାନଙ୍କୁ ସ୍ୱତଃସ୍ପୁର୍ତ୍ତ ଭାବେ ଭାଗ ନେବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ଶିକ୍ଷା କ୍ଷେତ୍ରରେ ଆମ ଦେଶର ବିଭିନ୍ନ ସଫଳତା ପ୍ରଶଂସନୀୟ ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରି ସେ କହିଥିଲେ, ଆଜିର ଦିନରେ ମଧ୍ୟ ରାଷ୍ଟ୍ର ନିର୍ମାଣ ପାଇଁ ମହାତ୍ମା ଗାନ୍ଧୀଙ୍କ ବିଚାର ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ସରକାରଙ୍କ ବିଭିନ୍ନ ଅଭିଯାନ ବାବଦରେ ସେ ପ୍ରକାଶ କରିଥିଲେ। ରନ୍ଧନ ଗ୍ୟାସ ସବସିଡି ଫେରସ୍ତ ହେଉ ଅଥବା ଡିଜିଟାଲ ପେମେଣ୍ଟକୁ ଆଗେଇ ନେବା ହେଉ, ସାଧାରଣ ଜନତା ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ସେମାନଙ୍କ ନିଜସ୍ୱ ବୋଲି ଭାବି ନେଇଥିବା ରାଷ୍ଟ୍ରପତି କହିଥିଲେ। ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ଜଳ ସଙ୍କଟ ଭଳି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିବା ସକାଶେ ଜଳଶକ୍ତି ମନ୍ତ୍ରଣାଳୟ ସୃଷ୍ଟି କରାଯାଇ ଜଳ ସଂରକ୍ଷଣ ଏବଂ ଜଳ ପରିଚାଳନାକୁ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବା ସେ ପ୍ରକଶ କରିଥିଲେ। ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ’ ତଥା ‘ଆୟୁଷ୍ମାନ ଭାରତ’ ଏବେ ସରକାରୀ ପାଣ୍ଠି ବିନିଯୋଗରେ କାର୍ଯ୍ୟକାରୀ ହେଉଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନାରେ ପରିଣତ ହୋଇଥିବା ସେ ପ୍ରକାଶ କରିଥିଲେ। ଏଥିସହ ରାଷ୍ଟ୍ରପତି ଇସ୍ରୋର ପ୍ରଶଂସା କରିଥିଲେ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ଅବିଶ୍ୱସନୀୟ ସଫଳତା ପାଇଁ ଦେଶ ଗର୍ବିତ ଏବଂ ଇସ୍ରୋ ଏବେ ମିଶନ ଗଗନଯାନକୁ ସଫଳ କରିବା ଦିଗରେ ଅଗ୍ରସର ହେଉଛି ବୋଲି ସେ କହିଥିଲେ। ଚଳିତବର୍ଷ ଅନୁଷ୍ଠିତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ସେ କହିଥିଲେ, ୨୦୨୦ରେ ଭାରତୀୟ କ୍ରୀଡ଼ାବିତମାନଙ୍କ ପଛରେ କୋଟି କୋଟି ଭାରତୀୟଙ୍କ ଶୁଭକାମନା ଓ ସମର୍ଥନ ଅବିରତ ଭାବେ ରହିବ। ଶେଷରେ ସମଗ୍ର ବିଶ୍ୱ ଏକ ସୁଦୃଢ଼ ପରିବାର ବୋଲି ଯେଉଁ ଚିନ୍ତନ ରହିଛି, ତାହା ଆମ ସଂସ୍କୃତିର ‘ବସୁଧୈବ କୁଟୁମ୍ବକମ୍’ରୁ ହିଁ ଆସିଛି ବୋଲି ସେ ପ୍ରକାଶ କରିଥିଲେ।

Spread the love