March 29, 2024

Satya News

odia news channel

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଛାଟ: ୬ ଶିଳ୍ପସଂସ୍ଥାକୁ କୋଟିଏ ଲେଖାଏଁ ଜୋରିମାନା

ଭୁବନେଶ୍ୱର,୧/୨: ବାୟୁ ପ୍ରଦୂଷଣ ଏବଂ ଜଳ ଉତ୍ସଗୁଡ଼ିକୁ ପ୍ରଦୂଷିତ କରିବା ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୬ଟି କମ୍ପାନୀ ଉପରେ ୧ କୋଟି ଟଙ୍କା ଲେଖାଏଁ ଜୋରିମାନା କରିଛି। ସେହିପରି ପ୍ରଦୂଷଣ ନିୟମର ଉଲ୍ଲଂଘନ ଅଭିଯୋଗରେ ୫ଟି ହୋଟେଲ ଉପରେ ମଧ୍ୟ ୨୫ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ସମସ୍ତ କମ୍ପାନୀ ଓ ହୋଟେଲ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ଜୋରିମାନା ହୋଇଥିବା କମ୍ପାନୀଗୁଡ଼ିକ ହେଲେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ, ପାରାଦ୍ୱୀପ ଫସ୍‌ଫେଟ ଲିମିଟେଡ(ପିପିଏଲ), ଇଫ୍‌କୋ, ଆଇଓସିଏଲ୍‌, ଗୋଆ କାର୍ବନ ଏବଂ ଏବିଏନ୍ ବେଭ୍ରେଜ। ସେହିପରି ଏମ୍ପାୟାର, ଗୋଲ୍ଡେନ ଏଙ୍କର, ଆରିଷ୍ଟୋକ୍ରାଟ, ନନ୍ଦିଘୋଷ ଏବଂ ପାରାଦ୍ୱୀପ ଇଣ୍ଟରନାସନାଲ ହୋଟେଲକୁ ଜୋରିନାମା କରାଯାଇଛି। ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ଉପରୋକ୍ତ କମ୍ପାନୀ ଏବଂ ହୋଟେଲ ଗୁଡ଼ିକ ଉପରେ ବାୟୁ ଏବଂ ଜଳ ପ୍ରଦୂଷଣ କରିବା ନେଇ ଅଭିଯୋଗ ହୋଇଆସୁଥିଲା। ବିଭିନ୍ନ ଖଣିଜ ସମ୍ପଦ ଏବଂ ଲୁହାପଥରର ବହୁଳ ପରିବହନ ଯୋଗୁଁ ପାରାଦୀପ ଅଞ୍ଚଳ ପ୍ରଦୂଷିତ ହେଉଥିବାବେଳେ ହୋଟେଲଗୁଡ଼ିକରୁ ନିର୍ଗତ ଆବର୍ଜନାରୁ ଜଳ ଉତ୍ସଗୁଡ଼ିକ ପ୍ରଦୂଷିତ ହେଉଛି। ଏନେଇ ଉକ୍ତ ଅଞ୍ଚଳର ସାଧାରଣ ଲୋକେ ଯେତେ ଅଭିଯୋଗ କଲେ ବି ଶିଳ୍ପସଂସ୍ଥାଗୁଡ଼ିକ ନଶୁଣିବାରୁ ସେମାନେ ବାଧ୍ୟ ହୋଇ ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ତଦନ୍ତ କରାଯିବା ପରେ ଉପରୋକ୍ତ ଜୋରିମାନା ଲାଗୁ କରାଯାଇଛି।

Spread the love