March 27, 2024

Satya News

odia news channel

ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ୱେବ୍‌ସାଇଟ୍‌ରେ ଅପଲୋଡ୍ କର

ନୂଆଦିଲ୍ଲୀ,୧୪/୨: ସୁପ୍ରିମକୋର୍ଟ ଗୁରୁବାର ସମସ୍ତ ରାଜନୈତିକ ଦଳକୁ ଅପରାଧିକ ମାମଲା ରହିଥିବା ପ୍ରାର୍ଥୀଙ୍କ ନାମ ୱେବ୍‌ସାଇଟ୍‌ରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଗତ ୪ଟି ସାଧାରଣ ନିର୍ବାଚନରେ ରାଜନୀତିକ ଅପରାଧକରଣ ବୃଦ୍ଧି ପାଇଥିବାରୁ ସର୍ବୋଚ୍ଚ ଅଦାଲତ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ୨୦୧୮ ସେପ୍ଟେମ୍ବରରେ ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପ୍ରାର୍ଥୀ ଚୟନବେଳେ ରାଜନୈତିକ ଦଳଗୁଡ଼ିକ ପାଳନ କରୁନଥିବା ଜଷ୍ଟିସ୍ ଏଫ୍ ନରିମାନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି। ରାଜନୈତିକ ଅପରାଧ ସମ୍ପର୍କିତ ଏକ କୋର୍ଟ ଅବମାନନା ଆବେଦନର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ଅଦାଲତଙ୍କ ନିର୍ଦ୍ଦେଶର ଅବମାନନା କରୁଥିବା ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନ କମିଶନ କୋର୍ଟଙ୍କ ଦୃଷ୍ଟିକୁ ଆଣନ୍ତୁ। ଏଥିସହ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କୁ କେଉଁ କାରଣରୁ ଚୟନ କରାଗଲା ତା’ର କାରଣ ନିର୍ଦ୍ଦିଷ୍ଟ ଭାବେ ଦଳଗୁଡ଼ିକୁ ଉଲ୍ଲେଖ କରିବାକୁ ହେବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ସେମାନଙ୍କ ନାମରେ ଥିବା ବିଚାରାଧୀନ ମାମଲାଗୁଡ଼ିକର ସବିଶେଷ ବିବରଣୀ ସୋସିଆଲ ମିଡିଆ ଏବଂ ସମ୍ବାଦପତ୍ରରେ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବରରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଫୈସଲା ଶୁଣାଇ ପ୍ରାର୍ଥୀଙ୍କୁ ସେମାନଙ୍କର ଅପରାଧିକ ମାମଲାଗୁଡ଼ିକ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଜଣାଇବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଥିଲେ।

Spread the love