July 27, 2024

Satya News

odia news channel

୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୬ କରୋନା ରୋଗୀ

 

ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା କଡ଼ାକଡ଼ି କରିଥିଲେ ମଧ୍ୟ  ରାଜ୍ୟରେ କରୋନା ଗ୍ରାଫ ଉପରମୁହଁ ହେବାରେ ଲାଗିଛି। ଗତକାଲି ରାଜ୍ୟରୁ ୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ  ଆଜି ୮୬ ଜଣ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୩୫ ରହିଛି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତ ରୋଗୀ ୨୧ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ୯ଟି ଜିଲ୍ଲାରୁ କୌଣସି ପଜିଟିଭ ଚିହ୍ନଟ ହୋଇ ନାହାନ୍ତି। ଆଜି ସର୍ବାଧିକ ରୋଗୀ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ୧୦ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଓ ସମ୍ବଲପୁରରୁ ୯ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି।

ସେହପରି ଅନୁଗୋଳ, କେନ୍ଦ୍ରାପଡ଼ା, ନବରଙ୍ଗପୁରରୁ ୩, ବାଲେଶ୍ୱରରୁ ୭, ବରଗଡ, ଯାଜପୁର, ପୁରୀ, ଝାରସୁଗୁଡାରୁ ୪, ବଲାଙ୍ଗିରରୁ ୬, କଟକ, ମୟୂରଭଞ୍ଜରୁ ୫ ଜଣ ଲେଖାଏ, ଦେବଗଡ, କୋରାପୁଟରୁ ୨, ଗଜପତି, ସୋନପୁର, କଳାହାଣ୍ଡି, ନୟାଗଡ, ନୂଆପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲ୍‌ରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୧୦୪ ଥିବାବେଳେ  ଆକ୍ଟିଭ କେସ୍‌ ରହିଛି ୬୭୩। ସୁସ୍ଥ ହୋଇ ଫେରିଛନ୍ତି ୩,୩୪,୪୬୩।

ସୂଚନାଥାଉ କି, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଆଜି ଭିସୁଟ୍‌ରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଚିନ୍ତା ବଢି ଯାଇଛି। ରାଜ୍ୟ ବ୍ୟାପି କୋଭିଡ କଟକଣା କଡାକଡ଼ି କରାଯାଇଛି। ଏପିରିକି   ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଛି। ଏହି ରାଜ୍ୟରୁ ଫେରୁଥିବା ଲୋକ ମାନଙ୍କ ପାଇଁ ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ ଆଣ୍ଟିଜେନ କିଟ ପରୀକ୍ଷା କରିବା ଉପରେ ବିଶେଷ ଧ୍ୟାନ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷେ ୩ୟ ପର୍ଯ୍ୟାୟ ଟିକାକରଣ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର। ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଥମେ  ଟିକା ମିଳିବ ବୋଲି ସେ କହିଛନ୍ତି । ଭୁବନେଶ୍ୱରର ୨୦ଟି ଡାକ୍ତରଖାନାରେ ଏହି ଟିକା ମିଳିବ।  ସମ୍, କିମ୍ସ, କଳିଙ୍ଗ, ବ୍ଲ ହ୍ୱିଲ୍, ଆଦିତ୍ୟ, ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର, ହାଇଟେକ୍ ଆଦି ଘରୋଇ ହସ୍ପିଟାଲରେ ଟିକା ଦେବା ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ତେବେ ସରକାରୀ ଡାକ୍ତରଖାନାରେ ମାଗଣା ଟିକା ଦିଆଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

Spread the love