July 27, 2024

Satya News

odia news channel

୩୦ଟି ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ୩୦ଟି ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି। ଏଥିରେ ଭିତ୍ତିଭୂମି ବିକାଶ, ପର୍ୟ୍ୟଟନ, ଗଙ୍ଗା ସଫା କରିବା ଏବଂ କୃଷକଙ୍କ ପାଇଁ କଲ୍ୟାଣମୂଳକ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବନାରସୀ ଉପଭାଷାରେ ତାଙ୍କ ଅଭିଭାଷଣ ଆରମ୍ଭ କରି ପୂର୍ବାଂଚଳର କୃଷକମାନଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ କରୋନା ମହାମାରୀ ସତ୍ୱେ ସେମାନେ ନିଜ କ୍ଷେତରେ ଅଧିକ ଫସଲ ଉତ୍ପାଦନ କରିଛନ୍ତି। ସେ କହିଛନ୍ତି ଯେ ବାରାଣାସୀରେ ଚାଲିଥିବା ବିକାଶମୂଳକ ପ୍ରକଳ୍ପ କାଶୀ ଲୋକଙ୍କ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରୁଛି।

ଭିଡ଼ିଓ କନଫରେନସିଂ ଜରିଆରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ଏହି ୬୧୪ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଏଥିରୁ ଲାଭାନ୍ୱିତ ହେବାକୁ ଥିବା ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ଜଣାଶୁଣା ବାସ୍କେଟ୍ ବଲ୍ ଖେଳାଳି ପ୍ରଶାନ୍ତି ସିଂହ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ବେଳେ କହିଛନ୍ତି, କାଶୀର ଜନସାଧାରଣ ଆହ୍ୱାନଗୁଡ଼ିକର ସଫଳ ଭାବେ ମୁକାବିଲା କରି ତାହାକୁ ସୁଯୋଗରେ ପରିଣତ କରିଛନ୍ତି।

ସେ କହିଛନ୍ତି, ସମ୍ପୂର୍ଣ୍ଣାନନ୍ଦ ଷ୍ଟାଡିୟମରେ ଖେଳାଳିମାନଙ୍କ ପାଇଁ ହେଉଥିବା ବାସଗୃହ ପ୍ରକଳ୍ପ ଉଭୟ କାଶୀର ଜନସାଧାରଣ ଏବଂ ଖେଳାଳିମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଏହି ଅବସରରେ ବାରାଣାସୀର ଜଣେ ବ୍ୟବସାୟୀ ବିପିନ କୁମାର ଅଗ୍ରୱାଲ୍ ସେଠାକାର ଶିଳ୍ପାଞ୍ଚଳରେ ମୌଳିକ ଢାଞ୍ଚାଗତ କାର୍ୟ୍ୟପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ନିମନ୍ତେ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଶିଳ୍ପାଞ୍ଚଳରେ ସ୍ୱଚ୍ଛତା ରକ୍ଷା ସହ ଶ୍ରମିକମାନଙ୍କୁ ଉତ୍ତମ ସୁବିଧା ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତି।

ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଶୀ’ର ଜନସାଧାରଣଙ୍କୁ କହିଛନ୍ତି, ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଉପହାର। ସେ କହିଛନ୍ତି, ଏବେ କାଶୀରେ ୮ ହଜାର ୯୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ୟ୍ୟ ଚାଲୁ ରହିଛି ଏବଂ ଏଥିଲାଗି ପ୍ରଧାନମନ୍ତ୍ରୀ ୧୮ ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ୧୫ ଶହ ଲୋକ ଭାଗ ନେଇଥିଲେ। ୬ଟି ସ୍ଥାନରେ ବଡ଼ ବଡ଼ ପରଦାମାନ ଲଗାଯାଇଥିବା ବେଳେ ୫ଟି ମୋବାଇଲ୍ ଭ୍ୟାନରେ ଏହି କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା। ଆଜି ଉଦଘାଟିତ ହୋଇଥିବା ୧୬ଟି ପ୍ରକଳ୍ପ ମଧ୍ୟରେ ସାରନାଥ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ’ ରହିଛି। ଆଗାମୀ ଦିନରେ ସାରା ବିଶ୍ୱ ପାଇଁ ଏହି ଶୋ’ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ହେବ। ଆଜି ସନ୍ଧ୍ୟାରେ ଏହାର ପ୍ରଥମ ଶୋ’ ପ୍ରଦର୍ଶିତ ହୋଇଛି।

Spread the love