July 27, 2024

Satya News

odia news channel

୬ ରାଜ୍ୟକୁ ନେଇ ୧୭ରେ ହେବ ଆନ୍ତଃରାଜ୍ୟ ଜିଏସ୍‌ଟି ସବ-କମିଟି ବୈଠକ

ଭୁବନେଶ୍ୱର: ଆସନ୍ତା ୧୭ରେ ଆନ୍ତଃରାଜ୍ୟ ଦ୍ରବ୍ୟ ଓ ସେବାକର(ଜିଏସଟି) ସବ-କମିଟି ବୈଠକ ଓଡ଼ିଶାରେ ଅନୁଷ୍ଠିତ ହେବ। ଲୋକସେବା ଭବନରେ ଅପରାହ୍ଣ ୩ଟାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୋଆ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଭଳି ୬ଟି ରାଜ୍ୟର ଅର୍ଥମନ୍ତ୍ରୀ, ଅର୍ଥ ସଚିବ ଏବଂ ସିଟି-ଜିଏସଟି ଆୟୁକ୍ତ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଜିଏସଟି ଟ୍ରାଇବୁନାଲ ଗଠନ ନେଇ ୬ଟି ରାଜ୍ୟର ମତାମତ ଗ୍ରହଣ କରାଯିବ। ଆଗାମୀ ଦିନରେ ଯେଉଁ ଜିଏସଟି ବିବାଦ ଉପୁଜିବ ତା’ର ସମାଧାନ ଜିଏସଟି ଟ୍ରାଇବୁନାଲ କରିବ।

ଏନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ୬ଟି ରାଜ୍ୟକୁ ନେଇ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ବୈଠକରେ ଆଉ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ରହିଛି। ସେଥିମଧ୍ୟରେ ତମାଖୁ ଏବଂ ନିଶାଦ୍ରବ୍ୟ ଉପରେ କେତେ ପରିମାଣର ଜିଏସଟି ଲାଗୁ କରାଯିବ ସେନେଇ ବିସ୍ତୃତ ଆଲୋଚନା ହେବ। ରାଜ୍ୟରେ ମଦ ବେପାର ବଢ଼ୁଥିବା ପରିପ୍ରେକ୍ଷୀରେ ନିଶାଦ୍ରବ୍ୟ ଉପରେ ଜିଏସଟି ଅଧିକ ଲାଗୁ ପାଇଁ ଓଡ଼ିଶା ମତ ରଖିପାରେ ବୋଲି ଜଣେ ବରି‌ଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ବୈଠକରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଚୁଡ଼ା, ମୁଢ଼ି ସହିତ କେନ୍ଦୁପତ୍ର ଉପରେ ଜିଏସଟି ଲାଗୁ ନେଇ ବିସ୍ତୃତ ଆଲୋଚନା ହେବ। ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁପତ୍ର ଉପରୁ ଜିଏସଟି ଛାଡ କରିବା ନେଇ ପୂର୍ବରୁ ରାଜ୍ୟ ସରକାର ଜିଏସଟି ପରିଷଦରେ ବାରମ୍ବାର ଦାବି କରି ଆସୁଛନ୍ତି। ଏହି ବୈଠକରେ ରାଜ୍ୟ ସରକାର ମଧ୍ୟ ପୁନର୍ବାର ଉକ୍ତ ଦାବି ଦୋହରାଇବ। ଏହାବାଦ୍ ଘରଭଡା ଉପରେ ଜିଏସଟି ଲାଗୁ ନେଇ ଆଲୋଚନା ହୋଇପାରେ ବୋଲି ଜଣାଯାଇଛି।

 

Spread the love