July 27, 2024

Satya News

odia news channel

ରାଜଧାନୀର ୭ ବେଆଇନ୍ କଲ୍ୟାଣ ମଣ୍ଡପରେ ଝୁଲିଲା ତାଲା

ଭୁବନେଶ୍ୱର,୪/୨: ବିଏମସିର ପକ୍ଷରୁ ଆରମ୍ଭ ହୋଇଛି ରାଜଧାନୀରେ ବେଆଇନ୍ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ। ପ୍ରଥମ ଦିନରେ ସୋମବାର ୭ଟି ମଣ୍ଡପକୁ ସିଲ୍ କରାଯାଇଛି। ସହିଦ ନଗରରେ ପାଲାଡିୟମ କୋଟେୟାର୍ଡ଼, ପଟିଆରେ ଋଷି ରିସୋର୍ଟ, ବରମୁଣ୍ଡାରେ ହୋଟେଲ୍ ଚନ୍ଦନ ବିବାହ ମଣ୍ଡପ, ଖଣ୍ଡଗିରି କୋଳଥିଆରେ ଥିବା ଶ୍ରୀସାଇ ଗାର୍ଡ଼େନ୍ ମଣ୍ଡପ, ଜନତା ମଇଦାନ ପାଖରେ ଥିବା ନୀଳକଣ୍ଠ ଲାଇବ୍ରେରୀ ସାଇନ୍ସ ମଣ୍ଡପ, ଗଜପତି ନଗର ଜେବି ମଣ୍ଡପ ଭଳି ୭ଟି ବେଆଇନ୍ କଲ୍ୟାଣ ମଣ୍ଡପକୁ ବିଏମସି ସିଲ୍ କରିଛି। ବିଏମସିର ଏଭଳି ଆକ୍ସନକୁ ଦେଖି ଚିନ୍ତାରେ ପଡ଼ିଛନ୍ତି ବାହାଘର ପାଇଁ ମଣ୍ଡପ ବୁକ୍ କରିଥିବା ଲୋକେ। ସୂଚନାନୁଯାୟୀ, ବାହାଘର ବ୍ରତଘର ସିଜିନ୍ ଆସିଲେ ରାଜଧାନୀରେ ଛତୁଫୁଟିବା ଭଳି କଲ୍ୟାଣ ମଣ୍ଡପ ଖୋଲିଯାଉଛି। ବେଆଇନ୍ ମଣ୍ଡପ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଛନ୍ତି ମଣ୍ଡପ ମାଲିକ। ହେଲେ ଏଥିଯୋଗୁଁ ଦେଖାଦେଉଥିବା ସମସ୍ୟାର ସାମ୍ନା କରୁଛନ୍ତି ସାଧାରଣ ଲୋକେ। ମଣ୍ଡପଗୁଡ଼ିକ ସାମ୍ନାରେ ବେଆଇନ୍ ପାର୍କିଂ ଯୋଗୁଁ ଟ୍ରାଫିକ୍ ଜାମ୍ ହେଉଛି। ରାସ୍ତାରେ ଯିବାଆସିବା କରୁଥିବା ଲୋକେ ନାକେଦମ୍ ହେଉଛନ୍ତି। ତେଣୁ ବିନା ବିଲଡିଂ ପ୍ଲାନ୍ ଆପ୍ରୁଭାଲରେ କୋଠା ନିର୍ମାଣ, ବିନା ଟ୍ରେଡ୍ ଲାଇସେନ୍ସରେ ବ୍ୟବସାୟ କରୁଥିବା ଓ ହୋଲଡିଂ ଟ୍ୟାକ୍ସ ଫାଙ୍କୁଥିବା, ପାର୍କିଂ ସୁବିଧା ନଥିବା ୯୪ଟି କଲ୍ୟାଣ ମଣ୍ଡପକୁ ବିଏମସି ନୋଟିସ କରିଥିଲା। ମାସେ ଭିତରେ ଭିତ୍ତିଭୂମି ସଜାଡ଼ିବାକୁ ମହଲତ ଦିଆଯାଇଥିଲା। ଜାନୁଆରୀ ୩୧କଣ୍ଟ ପୂରିବା ପରେ ବିଏମସି ମଣ୍ଡପ ସିଲ୍ ଅଭିଯାନ ଆରମ୍ଭ କରିଛି। ମାତ୍ର ବିଏମସି ଆକ୍ସନକୁ କିଛି ମଣ୍ଡପ ମାଲିକ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ପର୍ଯ୍ୟାୟକ୍ରମେ ବେଆଇନ୍ ମଣ୍ଡପଗୁଡ଼ିକୁ ସିଲ୍ କରିବାକୁ ବିଏମସି ଯୋଜନା କରିଛି। ଯେଉଁ କଲ୍ୟାଣ ମଣ୍ଡପଗୁଡ଼ିକ ଡେଡ୍‌ଲାଇନ୍ ପୂର୍ବରୁ ସେମାନଙ୍କ ପକ୍ଷ ରଖିଛନ୍ତି, ସେମାନଙ୍କ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।

Spread the love